ଛୋଟ ସହରରେ ଶସ୍ତାରେ ଫ୍ୟାସନ୍ ସାମଗ୍ରୀ ବିକୁଛି ଭି-ମାର୍ଟ

ଛୋଟ ସହରରେ ଶସ୍ତାରେ ଫ୍ୟାସନ୍ ସାମଗ୍ରୀ ବିକୁଛି ଭି-ମାର୍ଟ

Thursday October 15, 2015,

3 min Read

ଶସ୍ତାରେ ବ୍ରାଣ୍ଡେଡ୍ କମ୍ପାନୀର ଫ୍ୟାସନ୍ ସାମଗ୍ରୀ । ତା’ ପୁଣି ଦେଶର ଛୋଟ ଛୋଟ ସହରରେ । ଏଠି ରହୁଥିବା ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଫ୍ୟାସନେବଲ୍ ଲାଇଫଷ୍ଟାଇଲ୍ ଦେବାକୁ ୨୦୦୩ରେ ଆଗେଇ ଆସିଥିଲେ ଓଡିଆ ଉଦ୍ୟୋଗୀ ଲଳିତ ଅଗ୍ରୱାଲ । ଖାଲି ହାଇ କ୍ଲାସ୍ ନୁହେଁ ସବୁ ବର୍ଗର ଲୋକଙ୍କୁ ଫ୍ୟାସନ୍ ସହ ପରିଚିତ କରିବାକୁ ସେ ଚିନ୍ତା କଲେ । ଖୋଲିଲେ ଭି-ମାର୍ଟ ଷ୍ଟୋର୍ । ତାଙ୍କର ଏହି ପ୍ରୟାସ ଯୋଗୁ ଏବେ ବହୁ ଛୋଟ ସହରର ଲୋକେ ଶସ୍ତାରେ ଏହି ଷ୍ଟୋର୍ ରୁ ଫ୍ୟାସନ୍ ସାମଗ୍ରୀ ପାଇ ପାରୁଛନ୍ତି । ପ୍ରଥମେ ଅହମ୍ମଦାବାଦରେ ସେ ଏହି ଷ୍ଟୋର୍ ଆରମ୍ଭ କରିଥିଲେ । ଏବେସୁଦ୍ଧା ଦେଶର ୯୩ ସହରରେ ଭି-ମାର୍ଟର ୧୧୦ଟି ରିଟେଲ୍ ଷ୍ଟୋର୍ ଖୋଲିିଲାଣି ।

image


ଭି-ମାର୍ଟର ପ୍ରତିଷ୍ଠାତା ତଥା ସିଏମଡ଼ି ଲଲିତ ଅଗ୍ରୱାଲ କୁହନ୍ତି, “ମେଟ୍ରା ଓ ପ୍ରଥମ ଶ୍ରେଣୀ ସହରରେ ଫ୍ୟାସନ୍ ସାମଗ୍ରୀର ବହୁ ବଡ ବଡ ଷ୍ଟୋର ଅଛି । ଲୋକେ ଯାହା ଚାହିଁଲେ ହାତ ପାହାନ୍ତାରେ ପାଇ ଯାଉଛନ୍ତି । ମାତ୍ର ଛୋଟ ସହରରେ ଫ୍ୟାସନ୍ ଷ୍ଟୋର୍ ର ଉପସ୍ଥିତି ସେତେ ନାହିଁ । ଏଠି ଇଚ୍ଛା କଲେ ବି ଲୋକେ ଫ୍ୟାସନ୍ ସାମଗ୍ରୀ ପାଇପାରନ୍ତିନି । ବାଧ୍ୟ ହୋଇ ସେମାନେ ବଡ ସହରକୁ ଯାଆନ୍ତି ଓ ଖର୍ଚ୍ଚାନ୍ତ ହୁଅନ୍ତି । ତା’ ଛଡା ଦେଶର ଛୋଟ ସହରରେ ଅଧିକ ଫ୍ୟାସନପ୍ରିୟ ଗୋଷ୍ଠୀ ରୁହନ୍ତି । ଦିନକୁ ଦିନ ଫ୍ୟାସନ୍ ପ୍ରତି ଲୋକଙ୍କ ଚାହିଦା ବି ବଢୁଛି । ଏଥିପାଇଁ ଛୋଟ ସହରରେ ରହୁଥିବା ଲୋକଙ୍କୁ ଫ୍ୟାସନେବଲ ଲାଇଫ୍ ଷ୍ଟାଇଲ ଦେବାକୁ ଆମେ ଚିନ୍ତା କଲୁ ଓ ଆଗକୁ ବଢିଲୁ । ଷ୍ଟୋର୍ ଛୋଟ ହେଉ, କି ଲାଭ କମ୍ ହେଉ ତା ଚିନ୍ତା ନ କରି କିନ୍ତୁ ଗ୍ରାହକଙ୍କ ମନ ଜିତିବାକୁ ଚେଷ୍ଟା କଲୁ । ”

ଲଲିତ ଅଗ୍ରୱାଲ

ଲଲିତ ଅଗ୍ରୱାଲ


ଲଳିତ ପ୍ରଥମେ କଟକ ରେଭେନ୍ସା କଲେଜରୁ ପଢା ଶେଷ କରି ବମ୍ବେ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିଲେ । ପରେ ମୁମ୍ବାଇ ଏନ୍ଏମ୍ଆଇଏମ୍ଏସରୁ ଫାଇନାନ୍ସିଆଲ୍ ମ୍ୟାନେଜ୍ମେଣ୍ଟରେ ଡିପ୍ଲୋମା ହାସଲ କଲେ । ପଢା ଶେଷ ପରେ ସେ ଫ୍ୟାସନ୍ ୱାର୍ଲ୍ଡରେ ପାଦ ଦେଲେ । ସେ ଅହମ୍ମଦାବାଦରୁ ଆରମ୍ଭ କରିଥିବା ଭି-ମାର୍ଟ ରିଟେଲ ଷ୍ଟୋରଟି ପୂରା ପଶ୍ଚିମ ଭାରତର ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ପ୍ରଥମ ସୁବ୍ୟବସ୍ଥିତ ଲାଇଫ୍ ଷ୍ଟାଇଲ୍ ରିଟେଲ ଷ୍ଟୋର୍ ଭାବେ ଗଣା ହେଉଛି ।

image


ଭି-ମାର୍ଟର ସଫଳତାର ଯାତ୍ରା ଦିନକୁ ଦିନ ଆଗକୁ ବଢୁଛି । ୨୦୧୪-୧୫ରେ ଭି-ମାର୍ଟ ଦେଶରେ ପ୍ରାୟ ୭୫୦କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏ ବର୍ଷ ଏଥିରେ ଆହୁରି ୨୫% ବଢାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । କମ୍ପାନୀ ତାର ରିଟେଲ ଷ୍ଟୋର୍ରେ ଫ୍ୟାସନେବଲ ପୋଷାକ ସହ ଜୋତା, ବ୍ୟାଗ୍ ଓ ଅନ୍ୟ ଫ୍ୟାସନ୍ ସାମଗ୍ରୀ ବିକ୍ରି କରୁଛି । ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର(ଟାୟାର-୨ ଓ ଟାୟାର-୩ ସହର)ରେ କମ୍ପାନୀ ୧୧୦ଟି ରିଟେଲ ଷ୍ଟୋର୍ ଖୋଲିଛି । ଭବିଷ୍ୟତରେ ମଧ୍ୟ ଏହି ଧରଣର ସହରରେ ଅଧିକ ଷ୍ଟୋର୍ ଖୋଲିବାକୁ କମ୍ପାନୀ ପ୍ରୟାସ ଜାରି ରଖିଛି ।

image


ଲଳିତ କୁହନ୍ତି, “ଆମେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର ଭଳି ଛୋଟ ସହରକୁ ଅଧିକ ଫୋକସ୍ କରୁଛୁ । ଫ୍ୟାସନ୍ କେବଳ ହାଇ କ୍ଲାସଙ୍କ ପାଇଁ ନୁହେଁ, ସବୁ ବର୍ଗର ଲୋକେ ଶସ୍ତାରେ ବି ଏହାକୁ ପାଇ ପାରିବେ । ଏହା ଆମ କମ୍ପାନୀର ମୁଖ୍ୟ ଉଦେ୍ଧଶ୍ୟ । କିଛି ଦିନ ତଳେ ଓଡିଶାରେ ଏହି ବୃହତ୍ ରିଟେଲ ଚେନ୍ର ପ୍ରଥମ ଭି-ମାର୍ଟ ଷ୍ଟୋର୍ ବ୍ରହ୍ମପୁର ସହରରେ ଖୋଲିଛି । ଆଗକୁ ଭଦ୍ରକ, କେଉଁଝର, ବାରିପଦାରେ ଖୋଲିବୁ । ଭୁବନେଶ୍ୱରରେ ମଧ୍ୟ ଖୋଲିବାକୁ ଯୋଜନା ଅଛି । ୨୦୧୭ସୁଦ୍ଧା ଓଡିଶାରେ ଭି-ମାର୍ଟ ଷ୍ଟୋର୍ ସଂଖ୍ୟା ୧୦ରେ ପହଞ୍ଚାଇବାକୁ ଚିନ୍ତା କରିଛୁ ।”

image


ଭି-ମାର୍ଟ ଶସ୍ତାରେ ଫ୍ୟାସନ୍ ସାମଗ୍ରୀ ବିକ୍ରି କରୁଥିବା ବିଷୟରେ ସେ କୁହନ୍ତି, ଆମେ କ୍ୱାଲିଟିକୁ ପ୍ରାଥମିକତା ଦେଉ । ଭଲ ଫ୍ୟାସନ୍ ସାମଗ୍ରୀ ନିର୍ମାତାଙ୍କୁ ବାଛି କାମ ଦେଉଛୁ । ଫ୍ୟାସନ୍ ସାମଗ୍ରୀ ପ୍ରସ୍ତୁତଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁଥିରେ ମିଡିଲମ୍ୟାନଙ୍କୁ ହଟାଇ ସାମଗ୍ରୀର ମୂଲ୍ୟ ଶସ୍ତା ରଖୁଛୁ । ନିମ୍ନ ମଧ୍ୟମ ବର୍ଗର ଲୋକଙ୍କ ପକେଟକୁ ସୁହାଇଲା ଭଳି ଦାମ୍ ରଖୁଛୁ । ‘ଲାଭ ଅଳ୍ପ ହେଉ କିନ୍ତୁ ଗ୍ରାହକ ସନ୍ତୁଷ୍ଟ ହୁଅନ୍ତୁ’, ଏମିତି ଲକ୍ଷ୍ୟ ନେଇ କମ୍ପାନୀ ଆଗଉଛି । ଏଥିପାଇଁ ଆମେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ରିଟେଲ କିଙ୍ଗ୍ ଭାବେ ପରିଚିତ ହୋଇଛୁ । ଆଗକୁ ଅନଲାଇନ୍ରେ ଭି-ମାର୍ଟ ସାମଗ୍ରୀ ବିକ୍ରି ପାଇଁ ଯୋଜନା ଅଛି ।”

image