ପେସାରେ ଡାକ୍ତର, ନିଶା ଟ୍ରାଫିକ୍ ନିୟନ୍ତ୍ରଣ : ନୋଏଡାର ଟ୍ରାଫିକ ମ୍ୟାନ

ପେସାରେ ଡାକ୍ତର, ନିଶା ଟ୍ରାଫିକ୍ ନିୟନ୍ତ୍ରଣ : ନୋଏଡାର ଟ୍ରାଫିକ ମ୍ୟାନ

Thursday April 28, 2016,

3 min Read

ସମାଜରେ ରହିଥିବା ସମସ୍ୟାକୁ ଦୂର କରିବା ପାଇଁ ବେଳେବେଳେ କିଛି ଲୋକ ଏଭଳି କିଛି କାମ କରନ୍ତି ଯାହା ସେ କେବେ କରିବେ ବୋଲି ଲୋକମାନେ ଭାବି ନ ଥାନ୍ତି । କିନ୍ତୁ ତାଙ୍କର ସେହି କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଏ । ସେଭଳି ଜଣେ ମଣିଷ ହେଉଛନ୍ତି ନୋଏଡାରେ ରହୁଥିବା ଜଣେ ଡାକ୍ତର । ଡାକ୍ତର ପେସା ବେଶ ସମ୍ମାନଜନକ । କିନ୍ତୁ ସେ କେବଳ ସେତିକିରେ ସୀମିତ ରହିଯାଇ ନାହନ୍ତି । ନିଜକୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଉତ୍ସର୍ଗ କରିଛନ୍ତି ଏହି ଡାକ୍ତର ଜଣକ ।

ତାଙ୍କର ନାମ ହେଉଛି ଡକ୍ଟର କୃଷ୍ଣ ଯାଦବ । ବୟସ ୪୮ ବର୍ଷ । ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ତାଙ୍କର ଟ୍ରାଫିକ୍ ପୁଲିସ ବିଭାଗ ସହ କୌଣସି ସଂପର୍କ ନାହିଁ । ସେ ନିଜ ଉଦ୍ୟମରେ ଯାହା କିଛି କରୁଛନ୍ତି । ରାସ୍ତାରେ ଲାଗି ରହୁଥିବା ଜାମ କୁ କିଭଳି ଏଡାଇ ହେବ ସେଥିପାଇଁ ସେ କଡ଼ା ପରିଶ୍ରମ କରୁଛନ୍ତି । ରାସ୍ତାରେ ଗାଡ଼ି ଭିଡ଼ ରହୁଥିବା ସମୟରେ ହାତରେ ମାଇକ୍ ଧରି ସେ ଦୁଇ ଘଂଟାରୁ ଅଧିକ ସମୟ ଲୋକଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଟ୍ରାଫିକ୍ ନିୟମ ମାନି ଚଳନ୍ତୁ । ନିୟମ ଭାଗନ୍ତୁ ନାହିଁ । ଭିଡ଼ ଯେଭଳି ରାସ୍ତାରେ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

image


ନୋଏଡାର ସେକ୍ଟର ୫୫ରେ ରହୁଛନ୍ତି ଏହି ଡାକ୍ତର ଜଣକ । ସେଠାରେ ସେ ଟ୍ରାଫିକ୍ ମ୍ୟାନ୍ ଭାବେ ପରିଚିତ । ବର୍ଷେ ହେଲାଣି ସେ ସେହି କାମ କରି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ସେକ୍ଟର ୨୨ ପାଖରେ ଥିବା ଶିବ ମନ୍ଦିର ନିକଟରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଅନେକ ସମୟରେ ଦେଖାଯାଏ । ତାଙ୍କର ସବୁଠୁ ବଡ଼ ଆକର୍ଷଣ ହେଉଛି ସଚେତନତା ବାର୍ତ୍ତା ଲେଖାଯାଇଥିବା ତାଙ୍କ କୁର୍ତା । ସେହି କୁର୍ତାରେ ସେ ନିଜର ନାମ ଓ ଫୋନ୍ ନମ୍ବର ଲେଖିଛନ୍ତି । ଏହା ସହିତ ଏକ ବାର୍ତ୍ତା ଲେଖିଛନ୍ତି । ତାହା ହେଉଛି

ଟ୍ରାଫିକ୍ ନିୟମ ମାନନ୍ତୁ

ନୋଏଡାକୁ ଜାମ୍ ମୁକ୍ତ କରନ୍ତୁ

ସିଟ୍ ବେଲ୍ଟ ଓ ହେଲମେଟ ପିନ୍ଧନ୍ତୁ

ସାହସୀ ଓ ଦେଶଭକ୍ତ ହୁଅନ୍ତୁ ।

ଏହି ସଚେତନତା କାମ କରିବାର ପ୍ରେରଣା ବିଷୟରେ କୃଷ୍ଣ କହନ୍ତି ଯେ, ସେ ଦିନେ ନିଜ ସ୍କୁଟର ଜରିଆରେ କ୍ଲିନିକ୍ କୁ ଯାଉଥିଲେ । ସେକ୍ଟର ୨୨ ଶିବ ମନ୍ଦିର ନିକଟରେ ବହୁତ ଭିଡ଼ ଥିଲା । ସେହି ଭିଡ଼ ଭିତରେ ଏକ ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଇଥିଲା । ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ତାଙ୍କ ମନକୁ ଦୋହଲାଇ ଦେଇଥିଲା । ସେ ଟ୍ରାଫିକ୍ ଭିଡ଼ କମ କରିବା ପାଇଁ ତା’ ପର ଦିନଠାରୁ କାମ ଆରମ୍ଭ କରିଦେଇଥିଲେ । ସେ ସେକ୍ଟର ୨୨ ଶିବ ମନ୍ଦିର ଛକରେ ସକାଳ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ୍ ସମ୍ଭାଳୁଛନ୍ତି । ଯଦି କୌଣସି ସ୍ଥାନରୁ ଫୋନ୍ ଆସେ ସେଠାରେ ମଧ୍ୟ ସେ ପହଂଚି ଯାଉଛନ୍ତି ।

ସେ କହିଛନ୍ତି ଯେ ସ୍କୁଲ ପିଲାଙ୍କ ବସ୍ ଯଦି ଭିଡ଼ ଭିତରେ ଅଟକି ଯାଏ ତେବେ ସେ ପ୍ରଥମେ ସେଥିରେ ବସିଥିବା ସବୁ ପିଲାମାନଙ୍କୁ ରାସ୍ତା କଡ଼କୁ ଓହ୍ଲାଇ ଦିଅନ୍ତି । ଟ୍ରାଫିକ୍ ଭିଡ଼ ଭିତରୁ ବସ୍ କୁ ବାହାର କରିବାକୁ ପ୍ରୟାସ କରନ୍ତି । ଭିଡ଼ ଭିତରୁ ବସ୍ ବାହାରିଯିବା ପରେ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ବସ୍ ରେ ଭର୍ତ୍ତି କରି ବସ୍ ଟିକୁ ଯିବାକୁ ଦିଅନ୍ତି । ଖରା, ବର୍ଷ, ଶୀତ ସବୁ ବେଳେ ତାଙ୍କୁ ଟ୍ରାଫିକ୍ ସମ୍ଭାଳୁଥିବା ଦେଖାଯାଏ । କେବେ ହେଲେ ସେ ଏହି କାମ କରି କରି ଧକି ଯାଇନାହାନ୍ତି । ସବୁଠୁ ଅଧିକ ସମସ୍ୟା ବର୍ଷା ଦିନେ ହୁଏ ବୋଲି ସେ କହନ୍ତି । ସେହି ସମୟରେ ଟ୍ରାଫିକ୍ ପୁଲିସ୍ ବିଭାଗ ପକ୍ଷରରୁ ତାଙ୍କୁ ବହୁତ ସହାୟତା ଦିଆଯାଏ ।

ଟ୍ରାଫିକ୍ ସମ୍ଭାଳିବା ଭଳି କାମ କରିବା ତାଙ୍କ ପାଇଁ ଏତେ ସହଜ ନଥିଲା । ପ୍ରଥମେ ନିଜ ପିଲାମାନେ ଓ ପତ୍ନୀ ତାଙ୍କୁ ଏହି କାମରେ ସହଯୋଗ କରୁ ନ ଥିଲେ । ସହଜରେ ସେମାନେ ଏହାକୁ ଗ୍ରହଣ କରିପାରୁ ନ ଥିଲେ । ଏବେ କିନ୍ତୁ ସବୁ କିଛି ଠିକ ହୋଇଗଲାଣି । ସେମାନେ ଏବେ ତାଙ୍କ କାମକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି । ଡକ୍ଟର ଯାଦବଙ୍କ ଟ୍ରାଫିକ୍ ନିୟନ୍ତ୍ରଣ କରିବାର ଢ଼ାଂଚା ସମ୍ପୂର୍ଣ୍ଣ ଅଲଗା । ବାର୍ତ୍ତା ଲେଖାଥିବା ଟି ସାର୍ଟ ପିନ୍ଧି, ହାତରେ ମାଇକ୍ ଧରି ଓ ସିଟି ବଜାଇ ସେ ଲୋକଙ୍କୁ ସଚେତନ କରନ୍ତି । ଅନେକ ସମୟରେ ତାଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିବ । ଲୋକମାନେ ତାଙ୍କୁ ଗାଳି ଦେଇଥିବା ସେ ବହୁବାର ଶୁଣିଛନ୍ତି । କିନ୍ତୁ ପଛଘୁଂଚା ଦେଇନାହାନ୍ତି ।