ଆଦିବାସୀ ମହିଳା ସଶକ୍ତିକରଣ: ଗଜପତି ଓ କନ୍ଧମାଳ ଜିଲ୍ଲାରେ ରାହା ଦେଖାଇଛି ପଣସକଠା

ଆଦିବାସୀ ମହିଳା ସଶକ୍ତିକରଣ: ଗଜପତି ଓ କନ୍ଧମାଳ ଜିଲ୍ଲାରେ ରାହା   ଦେଖାଇଛି ପଣସକଠା

Monday May 16, 2016,

4 min Read

ମାର୍ଚ୍ଚ ମାସରେ ଯେତେବେଳେ ପଣସ ଗଛରେ ଫଳ ଧରିବାକୁ ଆରମ୍ଭ କଲା ଲୀଲାମ୍ମା ଚିନ୍ତା କଲେ ତାଙ୍କ ପାଲାକ୍କାଡ ଘରୁ କେମିତି ଖସିବେ। ଏ ସମୟରେ ତାଙ୍କ ସ୍ଵାମୀ ଜେମସ ମାଥ୍ୟୁଙ୍କର ଆରମ୍ଭ ହୋଇଯାଏ ପଣସକୁ ନେଇ ନାନା ରକମର ପରୀକ୍ଷା ନିରୀକ୍ଷା। ପଣସର ପ୍ରକ୍ରିୟାକରଣ କରି କିପରି ନୂତନ ଖାଦ୍ୟଦ୍ରବ୍ୟ ସବୁ ପ୍ରସ୍ତୁତ କରିହେବ। ଆଉ ତାଙ୍କୁ ମିଳିବନି ବିଶ୍ରାମ ନେବାଲାଗି ଟିକିଏ ଫୁରସତ। ବୁଢ଼ା ମୁଣ୍ଡରେ ଅଜବ ନିଶା । ତାଙ୍କର ବି ବୟସ ହେଲାଣି। "ଏ ଥର ପଣସ ଋତୁ ଶେଷ ନ ହେଲା ଯାଏ ମୁଁ ଘରକୁ ଫେରିବିନି" ଲୀଲାମ୍ମା ପିଲାମାନଙ୍କ ପାଖକୁ ଅଷ୍ଟ୍ରେଲିଆ ଯିବା ପକ୍କା କରି ମାଥ୍ୟୁଙ୍କୁ ଜଣାଇଦେଲେ। 

୬୮ବର୍ଷ ବୟସ୍କ ମାଥ୍ୟୁ ଏଇ କାମରେ ଗତ ୧୫ ବର୍ଷ ହେଲା ଲାଗିଛନ୍ତି। ପଣସ ସହିତ ତାଙ୍କର ଏ ସିଲସିଲା ୧୯୯୮ରୁ। ଦିନସାରା ଗୋଟିଏ ଛୋଟ କୋଠରୀରେ ଚାଲୁ ରହେ ମାଥ୍ୟୁଙ୍କର ଗବେଷଣା। ସେଠାରେ ସେ କଞ୍ଚା ଓ ପାଚିଲା ପଣସକୁ ଶୁଖେଇ ଥାନ୍ତି। ସେଠାରେ ଚାଲିଥାଏ ପଣସକୁ ଭାଜିବା, ସିଝାଇବା ଏବଂ ଷ୍ଟିମ କରିବା ଇତ୍ୟାଦିର ପ୍ରକ୍ରିୟା।

ଏପରିକି ସେ କର୍ଣ୍ଣାଟକରେ ଥିବା ଆମର କଫି ଇଷ୍ଟେଟକୁ ଏଇ କାମ ଲାଗି ବିକ୍ରୀ କରି ଏଥିରେ ୧୦ଲକ୍ଷ ଟଙ୍କା ଲଗାଇଛନ୍ତି କହନ୍ତି ଲୀଲାମ୍ମା।

କାଞ୍ଜିରପ୍ପୁଝା ଗାଁରେ ତାଙ୍କର ୧୨ ଏକର ପରିମିତ ଘର ଓ ଫାର୍ମ ଇଷ୍ଟେଟରେ ନଡ଼ିଆ,ଗୁଆ ଓ ଆମ୍ବ ତୋଟାମାଳରେ ତାଙ୍କର ୬୦ଟି ଶକ୍ତ ମାଂସଳ 'ବରିକା' ଜାତୀୟ ପଣସ ଗଛ । ବହୁତ ଫଳ ନଷ୍ଟ ହୁଏ। ଏପରି ଏକ ବିସ୍ମୟକର ଫଳର ସଂରକ୍ଷଣ ଓ ଉପଯୋଗ କିପରି କରିହେବ, ସେ ନେଇ ମାଥ୍ୟୁଙ୍କର ଏଇ ଦୀର୍ଘ ଗବେଷଣା, ଯାହା ତାଙ୍କୁ ସଫଳତା ବି ଆଣିଦେଇଛି। ସେ ପ୍ରସ୍ତୁତ କରିଥିବା ପ୍ରଡକ୍ଟ ଗୁଡ଼ିକ ମଧ୍ୟରେ ଅଛି ଗୋଲ୍ଡେନ ୟେଲୋ ରଙ୍ଗର ପଣସ ୱାଇନ, ଶୁଖା ପଣସ କୋଷା ଯାହାକୁ ଶୀତଳ ଭଣ୍ଡାରରେ ସଂରକ୍ଷଣ କରିହେବ, ଗୋଟିଏ ସ୍ଵାସ୍ଥ୍ୟକର ପାନୀୟ, ଶିଶୁ ଖାଦ୍ୟ ଓ ପଣସ ମଞ୍ଜିର ପାଉଡର। ଲାଭ ପାଇଁ ଏଗୁଡ଼ିକର ବ୍ୟବସାୟିକ ଉପଯୋଗ ପାଇଁ ପ୍ରଯତ୍ନ କରି ନାହାନ୍ତି ମାଥ୍ୟୁ ବରଂ ପ୍ରତି ବର୍ଷ ମାଗଣା କର୍ମଶାଳା ଆୟୋଜନ କରି ଆଗ୍ରହୀ ମାନଙ୍କୁ ଏ ଦିଗରେ ତାଲିମ ଦେବା ସହିତ ସେ ତାଙ୍କର ପ୍ରଡକ୍ଟ ଗୁଡ଼ିକୁ ଉପହାର ଦେଇଥାନ୍ତି। ନିଜ ପରିବାରର ସଦସ୍ୟ ଓ ଗାଁ ଲୋକେ ତ ମାଥ୍ୟୁଙ୍କୁ ପାଗଳ ବିବେଚନା କରିଥିଲେ ଏବଂ ଡାକୁଥିଲେ 'ଚକ୍କା ଜେମସ'। ମଜାର ବିଷୟ ଯେ ଚକ୍କା ହେଉଛି ପଣସର ମାଲୟାଲି ନାମ ଯାହାର ଅପଭ୍ରଂଶ ହୋଇ ଏହାର ଇଂରାଜୀ ନାମକରଣ 'ଜ୍ୟାକ୍ ଫୃଟ' କରାଯାଇଛି।

image


ମାଂସର ଏକ ଉପାଦେୟ ବିକଳ୍ପ ପଣସକଠାକୁ କେଉଁଝର ଓ ମୟୂରଭଞ୍ଜର ଅଧିବାସୀମାନେ 'ଡାଳୁଆ ଖାସି' ବୋଲି କହିଥାନ୍ତି। ବର୍ଷା ଋତୁରେ ଯେତେବେଳେ ଘରେ ଆଉ ଚାଉଳ ନ ଥାଏ ସେତେବେଳେ ଗୋନାସିକା ଅଞ୍ଚଳର ଜୁଆଙ୍ଗମାନେ ପଣସ ମଞ୍ଜିକୁ ସିଝାଇ ଖାଇଥାନ୍ତି। ପଣସତୋଟା ମାଳରେ ହିଁ ଗଢ଼ି ଉଠିଥାଏ ଜୁଆଙ୍ଗମାନଙ୍କର ଗାଁ ଗୁଡ଼ିକ ଯାହାର ଗହଳ ଛାଇରେ ଖରାଦିନେ ସେମାନେ ବିଶ୍ରାମ ନେଇଥାନ୍ତି।

ପଣସଗଛ ଚାଷକରି ବଢ଼ାଇବା ଅତି ସହଜ, ଏହା ଲଗାଇବା ପାଇଁ ଖୁବ୍ କମ ପରିଶ୍ରମ ଦରକାର ହୋଇଥାଏ ଏବଂ ଜଳବାୟୁ ପରିବର୍ତ୍ତନ ଏହାର କିଛି କ୍ଷତି କରି ପାରି ନ ଥାଏ। 

"ଆମକୁ କେବଳ ଏହାର ଚାରା ଗଛକୁ ଗାଈଗୋରୁ ମାନଙ୍କ ଠାରୁ ବଞ୍ଚାଇବାକୁ ହୋଇଥାଏ।"ଏହା କେବେ ବି ନଷ୍ଟ ହୋଇଥାଏ ଯେତେବେଳେକି ଅନ୍ୟ ସବୁ ଫସଲ ନଷ୍ଟ ହୋଇଯାଇଥାଏ" କହନ୍ତି ମାଥ୍ୟୁ । 

ତେଣୁ ଏହାକୁ ଏକ ଗୁରୁତ୍ଵପୂର୍ଣ୍ଣ ଖାଦ୍ୟଶସ୍ୟ ଭାବେ ବିବେଚିତ କରିହେବ। କିନ୍ତୁ ଏହାକୁ ସାଧାରଣତଃ ଆମ ଦେଶରେ ଅଣଦେଖା କରାଯାଇଥାଏ ଯେତେବେଳେକି ଏହାର ଚାଷକୁ ଶ୍ରୀଲଙ୍କା, ଭିଏତନାମ, ମାଲେସିଆ ଓ ଚୀନରେ ଖୁବ ଗୁରୁତ୍ଵ ଦିଆଯାଇଥାଏ। ଏକ ଆକଳନ ଅନୁଯାୟୀ ଆମ ଦେଶରେ ବାର୍ଷିକ ପ୍ରାୟ ୨୦୦୦ କୋଟି ଟଙ୍କାର ପଣସ ନଷ୍ଟ ହୋଇଥାଏ।

ପଣସ ଗଛ ଆମକୁ ଏକା ଧାରରେ ଖାଦ୍ୟ, ଟିମ୍ବର, ଜାଳେଣି ଓ ଗୋଖାଦ୍ୟ ଦେଇଥାଏ। ମରୁଡ଼ିକୁ ଏହା ଅଚିରେ ସହି ସ୍ଥାନୀୟ ଜଳବାୟୁକୁ ଥଣ୍ଡା ରଖିଥାଏ ଏବଂ ଅନ୍ୟାନ୍ୟ ଗ୍ରୀଷ୍ମମଣ୍ଡଳୀୟ ଫଳ କଦଳୀ, ଆମ୍ବ ଓ ପିଜୁଳି ଇତ୍ୟାଦି ଯେପରି ରୋଗପୋକର ଶିକାର ହୋଇଥାନ୍ତି ପଣସ ପ୍ରାୟ ସେଥିରୁ ମୁକ୍ତ ରହିଥାଏ।

ପଣସ ଏକ ପୁଷ୍ଟିକର ଫଳ। ଏଥିରେ ଯଥେଷ୍ଟ ଭିଟାମିନ ଏ ଏବଂ ସି,ପଟାସିୟମ,ଫସଫରସ ତଥା କ୍ୟାଲସିୟମ ଓ ଆଇରନ ଥାଏ। ଏଥିରେ ଥିବା flavonoids ପରି antioxidant କ୍ୟାନସର ଓ ବାର୍ଦ୍ଧକ୍ୟଜନିତ ରୋଗରୁ ରକ୍ଷା କରିଥାଏ ବୋଲି ବେଙ୍ଗାଲୁରୁ କୃଷି ବିଜ୍ଞାନ ବିଶ୍ଵବିଦ୍ୟାଳୟର ଆସୋସିଏଟ ପ୍ରଫେସର ଶ୍ୟାମଳା ରେଡ୍ଡୀ କହନ୍ତି। ସିଲୋନ ମେଡିକାଲ ଜର୍ଣ୍ଣାଲ ୨୦୧୧ ପ୍ରକାଶ କରିଛି ଯେ କଠା ପଣସ ଶରୀରର ଶର୍କରା ମାତ୍ରାକୁ ସଙ୍ଗେ ସଙ୍ଗେ କମାଇ ପାରିଥାଏ।

image


ଏତେ ସବୁ ସୁଗୁଣ ସତ୍ତ୍ୱେ ଆମ ରୋଷଶାଳାରେ ପଣସର ଚାହିଦା କାହିଁକି କମ? ମୁଖ୍ୟତଃ ଦୁଇଟି କାରଣ ଯୋଗୁଁ : ଏହାର ବୃହତ୍ ଆକାର ଓ ଦ୍ଵିତୀୟତଃ ଏହାର ବହଳିଆ ଖିରଯୁକ୍ତ ମୋଟା କଣ୍ଟାଭରା ବକଳକୁ ଛଡ଼ାଇ କଠା'ର କୋଷାଗୁଡ଼ିକ ବାହାର କରି ତରକାରୀ ପାଇଁ ପ୍ରସ୍ତୁତ କରିବା ଏକ କାଠିକର ପାଠ। ଏ ସବୁ କରିବା ଆଜିର ଗୃହିଣୀମାନଙ୍କ ପାଇଁ କଷ୍ଟସାଧ୍ୟ ଓ ସମୟ ସାପେକ୍ଷ। ଏହାର ସମାଧାନ ହେଉଛି ଏକ ready-to-cook, ready-to eat and ready-to-serve ଫର୍ମୁଲା; ଯେଉଁ ଦିଗରେ ଓଡ଼ିଶା ସ୍ଥିତ ଏନଜିଓ eKutir Social Business ଏହାର ପ୍ରସ୍ତୁତିକରଣ ଓ ପ୍ୟାକେଜିଙ୍ଗ ଉପରେ ଏବେ ମହିଳାମାନଙ୍କୁ ତାଲିମ ଦେଇ ପ୍ରୟାସ ଆରମ୍ଭ କରିଛି।

image


ଏ କାମକୁ ସହଜ କରିପାରଛି ଏକ ବିଦ୍ୟୁତଚାଳିତ ମେସିନ ଯାହା ବଢ଼େଇ ମାନେ ବ୍ୟବହାର କରୁଥିବା ରନ୍ଦା ମେସିନ ପରି। ମୋହନା ବ୍ଲକ କଣ୍ଟେଇକୋଳି ଗାଁର ଝୁନୁ ମଲିକ କହନ୍ତି 

"ଏଇ ଛୋଟ ମେସିନଟି ମୋ ଜୀବନରେ ପରିବର୍ତ୍ତନ ଆଣି ଦେଇଛି। ଆଗରୁ ଗୋଟିଏ ପଣସକଠା'ର କ୍ଷୀର ଓ କଣ୍ଟା ଭରା ବକଳ ଛଡ଼ାଇ ପ୍ରସ୍ତୁତ କରିବାକୁ ଆମକୁ ୧୦ରୁ ୧୫ମିନିଟ ଲାଗୁଥିଲା। ଏବେ ଖୁବ କମ ସମୟରେ ଏ କାମ କରିହେଉଛି। ହାତରେ କ୍ଷୀର ଅଠା ବି ଲାଗୁନି। ମୋର ରୋଜଗାର ବଢ଼ିଛି ଛ'ଗୁଣ" । 
image


ଝୁନୁଙ୍କୁ ଏହି ମେସିନ ସହିତ ତାଲିମ ଦେଇଛି ଭୁବନେଶ୍ଵର ସ୍ଥିତ Indian Institute of Horticultural Research ର ଆଞ୍ଚଳିକ ଶାଖା।

image


କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରଚୁର ପରିମାଣରେ ନରମ ମାଉଁସିଆ ପଣସ ମିଳେ। ଝୁନୁ ପରି ଆହୁରି ଅନେକ ମହିଳା ପଣସ କଠା ସଂଗ୍ରହ କରି କିଲୋ ପାଞ୍ଚ ଟଙ୍କାରେ ବେପାରୀମାନଙ୍କୁ ବିକୁଥିଲେ। ବେପାରୀମାନେ ତା'କୁ ଦିଲ୍ଲୀ ଓ ଅନ୍ୟାନ୍ୟ ଉତ୍ତର ଭାରତର ବିଭିନ୍ନ ସହରରେ କିଲୋ ପ୍ରତି ପଚାଶ ଷାଠିଏ ଟଙ୍କାରେ ବିକୁଥିଲେ। ଏବେ ସେମାନେ ଏଇ ମେସିନରେ ପଣସ କଠାକୁ କ୍ୟୁବ ଆକାରରେ କାଟି ସେଥିରେ ଏକ ଦ୍ରବଣ (ସାଇଟ୍ରିକ ଏସିଡ) ଛିଞ୍ଚି (ଯାହା କଠାକୁ ବାଦାମି ରଙ୍ଗହେବାକୁ ଦିଏ ନାହିଁ) ପଲି ପ୍ୟାକରେ କିଲୋ ପ୍ରତି ତିରିଶରୁ ଚାଳିଶ ଟଙ୍କାରେ ସ୍ଥାନୀୟ ବଜାରରେ ପରିବା ଭାବେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ମୋହନା ବ୍ଲକରେ ୧୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଛି। ପ୍ରତ୍ୟେକ ଗୋଷ୍ଠୀର ଗୋଟିଏ ଲେଖାଏଁ ମେସିନ ଅଛି। ନିକଟରେ Central Horticultural Experiment Station, ଭୁବନେଶ୍ଵର ପଣସକଠା'ର ପ୍ରସ୍ତୁତିକରଣ ଉପରେ କର୍ମଶାଳା ଆୟୋଜନ କରି ଆଦିବାସୀ ମହିଳା ମାନଙ୍କର ତାଲିମ କାର୍ଯ୍ୟକ୍ରମ କରିଥିଲେ। ଏହା ସହିତ ପଣସର ପ୍ରସ୍ତୁତ ଭିନ୍ନ ଭିନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନ ଯାହାର ନାଁ ଶୁଣିଲେ ଆପଣଙ୍କ ପାଟିରୁ ଲାଳ ବାହାରିବ ଯଥା ପଣସ କୋଫ୍ତା, ପଣସ ପକୋଡ଼ା, ଚିଲି ପଣସ, ପଣସ ଚିପସ, ପଣସ କଷା ଇତ୍ୟାଦିର ପ୍ରଦର୍ଶନୀ କରାଯାଇଥିଲା, ଯାହାର ଭରପୂର ମଜା ନେଇଥିଲେ ସର୍ବସାଧାରଣ।