ଭାଷା ଆନ୍ଦୋଳନ ଏବଂ ଓଡ଼ିଆ ଗଣମାଧ୍ୟମ

3

ଓଡ଼ିଶା ପରାଧୀନ ହେଲା ୧୫୬୮ ମସିହାରେ । ଶେଷ ସ୍ୱାଧୀନ ରାଜା ଭାବେ ହାରିଲେ ଓ ପ୍ରାଣ ହରାଇଲେ ମୁକୁନ୍ଦ ହରିଚନ୍ଦନ । ପରେ ମୁସଲିମ୍ ଓ ମରାଠାଙ୍କ ରାଜୁତି । ଶେଷକୁ ୧୮୦୩ରେ ବ୍ରିଟିଶ ଅକ୍ତିଆର କଲେ ଓଡ଼ିଶା ।

ଚକ୍ରାନ୍ତ କରି ଓଡ଼ିଶାକୁ ମିଶାଇ ଦିଆଗଲା କଲିକତା, ମାନ୍ଦ୍ରାଜ୍ ଓ ସେଂଟ୍ରାଲ୍ ପ୍ରୋଭିନ୍ସରେ । ସେଇଠୁ ହଜିବା ଆରମ୍ଭ ହେଲା ଓଡ଼ିଆ ଭାଷା । ୧୮୯୬ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଲା । ସେପଟେ ବଡ଼ ବଡ଼ ପଦବୀରେ ରହିଥିଲେ ବଙ୍ଗାଳୀ । ଓଡ଼ିଆ ଭାଷା ଉଠାଇବା ପାଇଁ ସେମାନେ ଜୋରଦାର ଲବି କଲେ । କ୍ରାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ପରି ଜଣେ ଶିକ୍ଷକ ତାହାରି ନିଚ୍ଛକ ଉଦାହରଣ । ସେପଟେ ବ୍ରହ୍ମପୁର ଇଲାକାରେ ଲୋକେ ତେଲୁଗୁ କହିଲେ । ଜାତିର ଭାଗ୍ୟରେ ଏମିତି ଏକ ବିପର୍ଯ୍ୟୟ ଆସିଲା, ଯେଉଁଠି ଭାଷା ହଜିଲା, ପର ଅଧୀନରେ ରହି ଏ ଜାତିଟା ନିହାତି ହୀନିମାନିଆ ହେଲା ।

ଉନବିଂଶ ଶତାବ୍ଦୀ ଶେଷ ବେଳକୁ ସାମାଜିକ ଓ ରାଜନୈତିକ ଚିତ୍ରରେ ଆସିଲା ଢେର ପରିବର୍ତନ । ଅନେକ ପ୍ରକାଶନୀ ସେଇ ସମୟରେ ବାହାରକୁ ଆସିଲେ । ଯେଉଁ ଗୁଡ଼ିକ ଓଡ଼ିଆ ଜାତିର ପ୍ରାଣରେ ଉନ୍ମାଦନା ଭରିବାରେ ବିଶେଷ ସହାୟକ ହେଲେ ।

ଯଦି ମୋଟ ଉପରେ ଆମେ ସ୍ୱାଧୀନତା ପୂର୍ବବର୍ତୀ ସମୟରେ ଜାତୀୟ ଗଣମାଧ୍ୟମର ଭୂମିକା ଦେଖିବା, ତେବେ ସେମାନେ ଯୋଡ଼ାଏ କାମ ନିଖୁଣ ଢଙ୍ଗରେ କରିଛନ୍ତି । ପ୍ରଥମ- ଜାତୀୟତା ଆନ୍ଦୋଳନକୁ ଭରପୁର ସମର୍ଥନ । ଦ୍ୱିତୀୟ- ସମାଜ ସଂସ୍କାରକର ଭୂମିକା । ଓଡ଼ିଶାରେ କିନ୍ତୁ ଓଡ଼ିଆ ଗଣମାଧ୍ୟମ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥିଲା । ଓଡ଼ିଆ ଭାଷାଭାଷୀ ଇଲାକାକୁ ଏକାଠି କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ପ୍ରାଣାନ୍ତକ ଉଦ୍ୟମ କରିଥିଲା ଆଂଚଳିକ ଗଣମାଧ୍ୟମ ।

ପଢନ୍ତୁ - ବିଶ୍ୱ ମାତୃଭାଷା ଦିବସରେ ଓଡ଼ିଆ ପାଇଁ ଏକ ଅନୁଶୀଳନ

ଇତିହାସକୁ ଦେଖିଲେ- ପ୍ରଥମରୁ ଦୁଇଟି ପ୍ରସଙ୍ଗ ଓଡ଼ିଆ ଖବରକାଗଜ ସଂସାର ଗଢିବାରେ ପରୋକ୍ଷରେ ସାହାଯ୍ୟ କରିଥିଲା । ୧୮୩୫ରେ ଲଡର଼୍ ମାକ୍କୁଲେଙ୍କ ଶିକ୍ଷା ନୀତି ଅନୁସାରେ ପାଠ୍ୟ ପୁସ୍ତକ ଛପାଇବା ଦରକାର ପଡ଼ିଲା । ଯଦିଓ ମିଶନାରୀ ଛପା ଅଧିକ ହେଲା- ତେବେ ମଧ୍ୟ ଏହା ଓଡ଼ିଶାରେ ଛାପା ପ୍ରକ୍ରିୟା ପାଇଁ ଏହା ସୁଯୋଗ ସୃଷ୍ଟି କଲା । ୧୮୩୭ରେ କଟକ ମିଶନ ପ୍ରେସ୍ - ଦି ନ୍ୟୁ ଟେଷ୍ଟାମେଂଟ ଛାପିଥିଲା । ଦ୍ୱୀତିୟଟି- ୧୮୩୯ରେ ଓଡ଼ିଆକୁ ଅଦାଲତି ଭାଷା ଭାବେ ଗ୍ରହଣ କରାଗଲା ।

କଟକ ମିଶନ ପ୍ରେସ୍ ପ୍ରତିଷ୍ଠା ହେବାର ୨୭ ବର୍ଷ ପରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ୧୮୬୪ ମସିହାରେ କଟକରେ ପ୍ରତିଷ୍ଠା କରାଗଲା କଟକ ପ୍ରିଂଟିଂ କଂପାନୀ । ଏହା ଥିଲା ଓଡ଼ିଶାର ଦ୍ୱିତୀୟ ପ୍ରେସ୍ ବା ମୁଦ୍ରଣ ଯନ୍ତ୍ରାଳୟ । ଏହାର ଚାରି ବର୍ଷ ପରେ ଓଡ଼ିଶାର ତୃତୀୟ ପ୍ରେସ୍ ଉକ୍ରଳ ପ୍ରିଂଟିଂ କୋ. ଫକୀର ମୋହନ ସେନାପତି ପ୍ରତିଷ୍ଠା କଲେ । ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତା ବିକାଶରେ ଏ ଦୁଇଟି ପ୍ରେସ୍ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ଉତ୍କଳ ଦୀପିକା :


ଯଦିଓ କୁଜିବର ପତ୍ରକୁ ଅନେକ ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ମାନ୍ୟତା ଦିଅନ୍ତି, ତେବେ ପ୍ରକୃତ ଅର୍ଥରେ ଓଡ଼ିଆ ଭାଷାର ପ୍ରଥମ ଖବରକାଗଜ ହେଉଛି- ଉତ୍କଳ ଦୀପିକାଉତ୍କଳ ଦୀପିକା ଓଡ଼ିଶାର ସାମାଜିକ ଓ ରାଜନୈତିକ ଚିତ୍ରରେ ପ୍ରମୁଖ ଭୂମିକା ନିଭେଇ ଥିଲା । ଯେବେ ଓଡ଼ିଶା ଭୋକ ଓ ଯନ୍ତ୍ରଣା ଦାଉରେ ଆଉଟୁପାଉଟୁ ହେଉଥିଲା, ସେଇ ସମୟରେ ୧୮୬୬ ମସିହା ଅଗଷ୍ଟ 4ରେ ପ୍ରକାଶ ପାଇଥିଲା ଏଇ ଖବରକାଗଜଟି । ଓଡ଼ିଆ ଭାଷାଭାଷୀ ଇଲାକାକୁ ଏକ କରିବା ଏବଂ ଭାଷାର ବିକାଶ ଦିଗରେ ଉତ୍କଳ ଦୀପିକା ଯେଉଁ କାର୍ଯ୍ୟ କରିଥିଲା, ତାହା ଅନ୍ୟ ପରବର୍ତ୍ତୀ ଖବରକାଗଜ ପାଇଁ ମାନଦଣ୍ଡ ଭାବେ ଉଭା ହୋଇଥିଲା । ଓଡ଼ିଆଙ୍କ ସ୍ୱାର୍ଥକୁ ସବୁଠାରୁ ଅଧିକ ଜଗିଥିଲା ଏଇ କାଗଜଟି । ୧୯୨୦ ବେଳକୁ ଓଡ଼ିଶା ଏକତ୍ରୀକରଣ ଆନ୍ଦୋଳନ ଚରମରେ ପହଂଚି ଥିଲା । ମଇ ୮, ୧୯୨୦ରେ ଉତ୍କଳ ଦୀପିକା ଲେଖିଥିଲା- ବର୍ଷ ବର୍ଷ ଧରି ଏଇ ବିଷୟକୁ ନେଇ ଓଡ଼ିଆମାନେ ଆନ୍ଦୋଳନ କରୁଛନ୍ତି । ହେଲେ ଏହାର ପରିଣାମ ସରକାର କଣ ଦେଉଛନ୍ତି ? ଉତ୍କଳ ଦୀପିକା ଲେଖିଥିଲା- ଆସାମ ଗୋଟେ ଛୋଟ ରାଜ୍ୟ ହେଲେ ସେଠାକାର ଲୋକଙ୍କୁ ସମ୍ମାନ ଜଣାଇ ସରକାର, ବେଙ୍ଗଲର ଜିଲ୍ଲା ନେଇ ସେଥିରେ ମିଶେଇଲେ । ଆଉ ଏଠି ଭାଗ ଭାଗ ହୋଇ ପଡ଼ିଥିବା ଓଡ଼ିଆ ଏକାଠି ହେବାକୁ ଚାହୁଁଥିଲେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି ।

କନିକା ରାଜା ସାହେବ ସେଂଟ୍ରାଲ କାଉନସିଲରେ ଓଡ଼ିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ- ତାହା ବିସ୍ତୃତ ଭାବେ ୬ ମାର୍ଚ୍ଚ ୧୯୨୦ ରେ ପ୍ରକାଶ ପାଇଥିଲା । ସେମିତି ୧୯ ଫେବୃଆରୀ ୧୯୨୭ ରେ ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଶା ଏକାଠି ନ ହେବା ଯାଏ ଥୟ ନାହିଁ ବୋଲି ସେଂଟ୍ରାଲ କାଉନସିଲରେ ରଖିଥିବା ବକ୍ତବ୍ୟ ବିସ୍ତୃତ ଭାବେ ପ୍ରକାଶିତ ହୋଇଥିଲା ।

ସମ୍ବଲପୁର ହିତୈଷିଣୀ :

ଦେବଗଡ଼ରୁ ପ୍ରକାଶିତ ସମ୍ବଲପୁର ହିତୈଷିଣୀର ପ୍ରଭାବ ଜନମାନସ ଉପରେ ବେଶ ଅଧିକ ଥିଲା । ଏହାଥିଲା ପଶ୍ଚିମ ଓଡ଼ିଶାରୁ ପ୍ରକାଶିତ ପ୍ରଥମ ଖବରକାଗଜ । ୩୪ ବର୍ଷର ପ୍ରକାଶନ କାଳ ମଧ୍ୟରେ ସମ୍ବଲପୁର ହିତୈଷିଣୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲା । ସମ୍ବଲପୁରରେ ହିନ୍ଦୀ ବଦଳରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାରେ ଏହାର ଅବଦାନ ବେଶ ଅଧିକ । ବ୍ରିଟିଶ ଶାସନ କାଳରେ ସମ୍ବଲପୁର ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଛୋଟ ନାଗପୁର ସହିତ ପ୍ରଶାସନିକ ସୂତ୍ରରେ ସଂଯୁକ୍ତ ଥିଲା ।

୧୮୯୬ ଜାନୁଆରୀ ପହିଲାରୁ ସେଠାରେ ଓଡ଼ିଆ ବଦଳରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ ଆଦେଶ ଜାରି ହୋଇଥିଲା । ଏହାର ତୀବ୍ର ବିରୋଧ କରିଥିଲା ସମ୍ବଲପୁର ହିତୈଷିଣୀ । ଫଳ ସ୍ୱରୂପ ୧୯୦୩ ମସିହା ଜାନୁଆରୀ ପହିଲାରୁ ହିନ୍ଦୀ ବଦଳରେ ପୁଣି ଓଡ଼ିଆ ପ୍ରଚଳନ ହୋଇଥିଲା ।

ଦୈନିକ ଆଶା :


୧୯୧୩ରେ ଓଡ଼ିଶାରେ ନୂଆ ସାମ୍ବାଦିକତାର ଆଦ୍ୟପର୍ଦ ଆରମ୍ଭ ହେଲା । ଶଶୀ ଭୂଷଣ ରଥ ଏହାର ନେତୃତ୍ୱ ନେଇଥିଲେ । ଅପ୍ରେଲ ୧୩, ୧୯୧୩ରେ ବ୍ରହ୍ମପୁରରୁ - ଆଶା ପ୍ରକାଶନ ସେ ଆରମ୍ଭ କରିଥିଲେ । ଓଡ଼ିଆ ଭାଷାଭାଷୀ ଅଂଚଳ ସହିତ ମିଶିବା ପାଇଁ ଗଂଜାମ ଲୋକଙ୍କ ଲଢେଇ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ଏହା ନୂଆ ଦିଶା ଦେଇଥିଲା । ସମୃଦ୍ଧ ଲେଖା, ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, ଗୋପାଳ ପ୍ରହରାଜଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମତ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ କ୍ରମଶଃ ସାପ୍ତାହିକ ଆଶାକୁ ଓଡ଼ିଶାର ଏକତ୍ରୀକରଣ ଦିଗରେ ସବୁଠାରୁ ଫଳପ୍ରଦ ଅସ୍ତ୍ର ଭାବେ ଗଢି ତୋଳିଥିଲା । (ମୃଣାଳ ଚାଟାର୍ଜୀ-ଓଡ଼ିଶାରେ ସାମ୍ବାଦିକତାର ଇତିହାସ)

ସାପ୍ତାହିକ ଆଶା ୧୯୨୮ରେ ଦୈନିକ ଆଶାରେ ପରିଣତ ହୋଇଥିଲା ।

ମେଦିନୀବାନ୍ଧବ :

ଏଇ ପ୍ରକାଶନୀଟି ବିଷୟରେ ଓଡ଼ିଶାରେ ବିଶେଷ ଚର୍ଚ୍ଚା ହୋଇନାହିଁ କହିଲେ ଚଳିବ ।

୧୯୩୧ ବେଳକୁ ଓଡ଼ିଆ କହୁଥିବା ପଶ୍ଚିମବଙ୍ଗର ମେଦିନାପୁର, ବିହାରର ସିଂହଭୂମ ପ୍ରଭୃତି ଅଂଚଳରେ ଓଡ଼ିଶା ସହିତ ମିଶିବା ପାଇଁ ଜନ ଜାଗରଣ ସୃଷ୍ଟି ହେଲା । ଗୋଦାବରୀଶ ମହାପାତ୍ର ୧୯୩୧ରେ ଏହି ଅଭିଯାନକୁ ବିଶେଷ ସମର୍ଥନ ଜଣାଇଲେ ।

ତା’ପୂର୍ବରୁ ୧୯୧୫ରୁ ମେଦିନୀବାନ୍ଧବର ପ୍ରକାଶନ ଆରମ୍ଭ ହୋଇଥିଲା । ଓଡ଼ିଆ ଭାଷାଭାଷୀ ଲୋକଙ୍କ ମନରେ ଏକାଠି ହେବାର ଭାବନା ଭରିବାରେ ଏହା ବିଶେଷ ସହାୟକ ହୋଇଥିଲା ।

ପଣ୍ଡିତ ଗୋପବନ୍ଧୁ ଦାସଙ୍କ - ସମାଜ ଓ ଡ. ହରେକୃଷ୍ଣ ମହତାବଙ୍କ - ପ୍ରଜାତନ୍ତ୍ର ପୁରୁଣା ମୂଳଦୁଆକୁ ଆଧାର କରି ନବ ଉନ୍ମାଦ ଲୋକଙ୍କ ମନରେ ଭରିଥିଲେ । ଏକାଠି ହେବାର ସ୍ୱପ୍ନରେ ବିଭୋର କରିଥିଲେ । ଆଉ ସାକାର କରି ଦେଖାଇ ଥିଲେ ମଧ୍ୟ । ପ୍ରଜାତନ୍ତ୍ର ସହିତ ଜଡ଼ିତ ଜାତୀୟ କବି ବୀର କିଶୋର ଓଡ଼ିଆଙ୍କ ମନରେ ଦେଶପ୍ରେମର ମଂଜି ବୁଣିଥିଲେ ।

ଶେଷକୁ ୧୯୩୬ ଅପ୍ରେଲ ପହିଲାରେ ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ପାଇଲା । ହଜାର ହଜାର ଲୋକଙ୍କ ବର୍ଷ ବର୍ଷର ଦୀର୍ଘ ସଂଗ୍ରାମ ସାକାର ରୂପ ନେଲା ।

ସ୍ୱାଧୀନତା ପରବର୍ତ୍ତୀ ସମୟ :

ଥରେ ମୂଳଦୁଆ ପଡ଼ିଗଲେ ତେଣିକି ଛିଡ଼ା ହେବା ପାଇଁ କିଛି ଅସୁବିଧା ନାହିଁ । ସ୍ୱାଧୀନତା ପୂର୍ବବର୍ତୀ ଖବରକାଗଜ ଜାତୀୟତାର ଯେଉଁ ମାନଦଣ୍ଡ ଛାଡ଼ି ଯାଇଥିଲେ, ତାହା ସ୍ୱାଧୀନତା ଆସିବା ପରେ ଧିମେଇ ଗଲା ।

ପ୍ରସିଦ୍ଧ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ସଂପାଦନାରେ- କଳିଙ୍ଗ କିଛିଟା ଚମକ ଦେଖେଇ ଥିଲା । ସବୁ ଭିତରେ ମହତାବଙ୍କ ସ୍ତମ୍ଭ - ଗାଁ ମଜଲିସ୍ ନିଚ୍ଛକ ଓଡ଼ିଆର ପରିଚୟ ଥିଲା । ଏବଂ ଭାଷାର ବିକାଶରେ ବି ସାହାଯ୍ୟ କରିଥିଲା । ଧରିତ୍ରୀ ବି ସେଇ ରାସ୍ତାରେ ଯାଇଥିଲା । 

ଅଶୀ ଦଶକରେ ପରିବର୍ତନର ସୁଅ ଆସିଲା । ସମ୍ବାଦ ପ୍ରକାଶିତ ହେଲା । ଭାଷାର ସୁରକ୍ଷା ଓ ବିକାଶ ଦିଗରେ ସମ୍ବାଦର ଭୂମିକା ସବୁଦିନେ ସ୍ମରଣୀୟ । ଆମ ଓଡ଼ିଶା- ଅନୁଷ୍ଠାନ ତାହାରି ଉଦାହରଣ ।

ନୂଆ ଶତାବ୍ଦୀ ସାଙ୍ଗରେ ଆସିଥିବା ଆସିଥିବା ଖବରକାଗଜ ଭାଷା ସୁରକ୍ଷା ଦିଗରେ ବେଶି କିଛି କାମ କଲେନି । ଓଲଟା ଇଂରାଜୀ ଶବ୍ଦ ମିଶେଇ ଦେଇ ଓଡ଼ିଆ ଭାଷାକୁ କେମିତି କିଟିମିଟିଆ କରି ପକେଇଲେ । ସ୍ୟାଟେଲାଇଟ୍ ଚ୍ୟାନେଲ୍ ବିପ୍ଳବ ସମୟରେ ଓଡ଼ିଆ ଭାଷାର ଟେଲିଭିଜନରେ ଇଂରାଜୀ କହିବା ଯେମିତି ଧାରାରେ ପଡ଼ି ଗଲାଣି । ସେଇ ଧାରା ଯୁବ ପୀଢିଙ୍କୁ ଡେଉଁଛି । ରାସ୍ତାଘାଟ, ପାନ ଦୋକାନ, ପାର୍କରେ ଯୁବ ପୀଢି କେମିତି ଗୋଟେ ବିକଟ ଓଡ଼ିଆ କହୁଛନ୍ତି । ହେଲେ ଗଣମାଧ୍ୟମରେ ତାର ପ୍ରତିବାଦ ଦେଖିବାଟା ଏବେ କ୍ୱଚିତ୍ ।

ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଲେ ବି ଭାଷାଟି କେମିତି ଗୋଟେ ବିକୃତ ରୂପ ଧାରଣ କରୁଛି ।

ସାମ୍ବାଦିକତା ବିଭାଗ,

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ,

ସମ୍ବଲପୁର । 

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ - 

1। ଓଡ଼ିଆ ଭାଷା ପାଇଁ କିଛି ଆନ୍ତର୍ଜାତୀୟ ଇଣ୍ଟରନେଟ ପ୍ରକଳ୍ପ

2। ବଣମଲ୍ଲୀ ଓଡ଼ିଆ ଚଉଦିଗେ ଚହଟିବ କେମନ୍ତେ

3। ଓଡ଼ିଆ ଉଇକିପାଠାଗାର: ଓଡ଼ିଆରେ ଡିଜିଟାଲ ପାଠାଗାର ଆନ୍ଦୋଳନର ନୂଆ ମୁହଁ