ପୋଷ୍ଟରରେ ପୋଷ୍ଟରରେ ୮୦ବର୍ଷର ଫିଲ୍ମ ଇତିହାସ

ପୋଷ୍ଟରରେ ପୋଷ୍ଟରରେ ୮୦ବର୍ଷର ଫିଲ୍ମ ଇତିହାସ

Friday April 29, 2016,

3 min Read

ପୋଷ୍ଟରରେ ରୂପେଲି ପରଦାର ଅଭୁଲା ସୁନେଲୀ ସ୍ମୃତି । ବର୍ଷେ କି ଦୁଇ ବର୍ଷର ନୁହେଁ, ପ୍ରାୟ ୮୦ ବର୍ଷର ଇତିହାସ । ଏହି ଅଭୁଲା ଇତିହାସ ସବୁକୁ ଜାବୁଡି ଧରି ଲୋକଙ୍କୁ ପୁରୁଣା ରଙ୍ଗୀନ ଦୁନିଆକୁ ଫେରାଇ ନେଇଛି ଏହି ପୋଷ୍ଟର । ଓଡ଼ିଆ ଚଳଚ୍ଚିତ୍ରର ୮୦ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି ଏହି ଓଡ଼ିଆ ଫିଲ୍ମ ପୋଷ୍ଟର ପ୍ରଦର୍ଶନୀ ।

image


ରାଜ୍ୟ ସଂସ୍କୃତି ବିଭାଗ ଓ ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମ୍ ର ମିଳିତ ଆନୁକୂଲ୍ୟରେ ୬ଦିନ ଧରି ଆୟୋଜିତ ହେଉଛି ‘ଛାୟା-ପ୍ରତିଛାୟା’- ୮୦ ବର୍ଷ, ୮୦ ପୋଷ୍ଟର । ୧୯୩୬ରୁ ୧୯୮୬ ମଧ୍ୟରେ ପ୍ରସ୍ତୁତ ହୋଇଥିବା ୧୧୭ଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରାୟ ୮୦ଟି ଚଳଚ୍ଚିତ୍ରର ପୋଷ୍ଟର ଏଥିରେ ପ୍ରଦର୍ଶିତ ହୋଇଛି । ପୁରୁଣା ଫିଲ୍ମର ଅତୀତ ବାବଦରେ ଲୋକଙ୍କୁ ମନେ ପକାଇ ଦେବା ଓ ଏଥିରେ ଅଭିନୟ କରିଥିବା ଚିହ୍ନା ଓ ଅଚିହ୍ନା କଳାକାରଙ୍କୁ ସାମ୍ନାକୁ ଆଣିବା ଏହି ପୋଷ୍ଟର ପ୍ରଦର୍ଶନୀର ଥିଲା ମୂଳ ଉଦ୍ଦେଶ୍ୟ । ଏହି ପୋଷ୍ଟର ପ୍ରଦର୍ଶନୀରେ ‘ସୀତା ବିବାହ’ଠୁ ନେଇ ‘ସ୍ୱପ୍ନସାଗର’, ‘ଚିଲ୍ଲୀକା ତୀରେ’, ‘ଲଳିତା’, ‘ସମୟ’, ‘ଅଗ୍ନିପରୀକ୍ଷା’, ‘ଭାଇ ଭାଉଜ’, ‘ଡୋରା’, ‘ଗପ ହେଲେ ବି ସତ’, ‘ସିନ୍ଦୁର ବିନ୍ଦୁ', ‘ନାଗଫାଶ’, ‘ଦସ୍ୟୁ ରତ୍ନାକର’, ‘ମହାଲକ୍ଷ୍ମୀ ପୂଜା’, ‘ହିସାବ ନିକାଶ’, ‘ମାୟା ମିିରିଗ’, ଲକ୍ଷ୍ମୀ, ‘ସ୍ୱପ୍ନ ସାଗର’ ଭଳି ସିନେମାର ପୋଷ୍ଟର ରହିଛି ।

image


ଏହି ପୋଷ୍ଟର ପ୍ରଦର୍ଶନୀରେ ଫିଲ୍ମର ଅଭିନେତା ଓ ଅଭିନେତ୍ରୀଙ୍କ ସହ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଳା ନିର୍ଦ୍ଦେଶକଙ୍କ ନାଁ ପ୍ରଦର୍ଶିତ ହୋଉଛି । କେଉଁ ମସିହାରେ ଫିଲ୍ମଟି ମୁକ୍ତିଲାଭ କରିଥିଲା ତା ମଧ୍ୟ ଲୋକଙ୍କ ଜାଣିବା ପାଇଁ ଲେଖାଯାଇଛି । ୧୯୩୬ ମସିହାରେ ମୁକ୍ତିଲାଭ ଓ ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମ ଓଡିଆ ଚଳଚ୍ଚିତ୍ର ସୀତାବିବାହ ପୁରୀ ଲକ୍ଷ୍ମୀ ଟକିଜ୍ ରେ ଆତ୍ମପ୍ରକାଶ କରିଥିଲା ବୋଲି ଏଠାରେ ପ୍ରଦର୍ଶିତ ପୋଷ୍ଟରରୁ ଜଣାପଡିଛି ।

ପ୍ରଦର୍ଶିତ ଅଧିକାଂଶ ଫିଲ୍ମ ପୋଷ୍ଟର ହାତରେ ଅଙ୍କା ଯାଇଛି । ବିଭିନ୍ନ ସ୍ଥାନରୁ ଏସବୁକୁ ସଂଗ୍ରହ କରାଯାଇଛି । ଏବେକାର ପୋଷ୍ଟରରେ ବେଶି ମୁଖ୍ୟ ଚରିତ୍ରଙ୍କ ଫଟୋ ଓ ଟ୍ୟାଗ ଲାଇନ୍ ରହୁଛି । କିନ୍ତୁ ସେତେବେଳର ପୋଷ୍ଟରଗୁଡ଼ିକରେ ଫଟୋ ବଦଳରେ ଅଳଙ୍କରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଥିଲା । ପୋଷ୍ଟର ଉପରେ ଫିଲ୍ମର ନାଁ ଲେଖା ଯାଉଥିଲା । ଅନ୍ୟ କଳାକାର ଓ ସହଯୋଗୀଙ୍କ ନାଁକୁ ମଧ୍ୟ ସ୍ଥାନିତ କରାଯାଉଥିଲା ।

image


ଏହି ପ୍ରଦର୍ଶନୀର ଅନ୍ୟତମ ଆୟୋଜକ ଫିଲ୍ମ ଜର୍ଣ୍ଣାଲିଷ୍ଟସ୍ ଫୋରମ୍ ର ସୂର୍ଯ୍ୟ ଦେଓ କହିଛନ୍ତି, 

ଓଡ଼ିଆ ଫିଲ୍ମକୁ ୮୦ବର୍ଷ ପୂରଣ ହେଉଥିବାରୁ ୧୯୩୬ରୁ ୧୯୮୬ ଭିତରେ ହୋଇଥିବା ୮୦ଟି ଫିଲ୍ମର ପୋଷ୍ଟର ପ୍ରଦର୍ଶିତ ହେଉଛି । ଏହି ପୋଷ୍ଟରଗୁଡିକୁ ଦେଖିଲାପରେ ଅତୀତରେ ହେଉଥିବା ଚଳଚ୍ଚିତ୍ର କଥା ମନେ ପଡିବ । ସେତେବେଳେ ପ୍ରସ୍ତୁତ ହେଉଥିବା କଳାତ୍ମକ ଚଳଚ୍ଚିତ୍ରକୁ ଲୋକଙ୍କ ସାମ୍ନାକୁ ଆଣି ସ୍ମୃତିକୁ ତାଜା କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ। 
image


ସେହିପରି ରାଜ୍ୟ ସଂଗ୍ରହାଳୟରେ ଏକ ଫିଲ୍ମ ପୋଷ୍ଟର ଗ୍ୟାଲେରୀ ଖୋଲିବ । ପୁରୁଣା ଫିଲ୍ମର ପୋଷ୍ଟରକୁ ସଂରକ୍ଷିତ କରି ଏଥିରେ ରଖାଯିବ । ଏହାକୁ ଦେଖି ଆଗାମୀ ପିଢ଼ି ଓଡ଼ିଆ ଫିଲ୍ମର ଅତୀତ ବିଷୟରେ ଜାଣିବାର ସୁଯୋଗ ପାଇବେ । ଗ୍ୟାଲେରୀରେ ଫିଲ୍ମର ପୋଷ୍ଟର ସହ ଫିଲ୍ମ ସମ୍ପର୍କରେ ଲେଖାଥିବା କିଛି ତଥ୍ୟ ରହିବ । ଏସବୁର ଡକ୍ୟୁମେଣ୍ଟେସନ୍ କରାଯିବ ବୋଲି କହିଛନ୍ତି ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ।

ପ୍ରଦର୍ଶିତ କିଛି ଅଭୁଲା ଚଳଚ୍ଚିତ୍ର ପୋଷ୍ଟରର ଝଲକ୍

୧- ପ୍ରଥମ ଓଡିଆ ଚଳଚ୍ଚିତ୍ର ସୀତାବିବାହ(୧୯୩୬)

ପୁରୀ ଲକ୍ଷ୍ମୀ ଟକିଜ୍ ଆତ୍ମପ୍ରକାଶ କଲା

୨- ସ୍ୱାତୀ ଫିଲ୍ମସ୍ ର ନିବେଦିତ ଓଡିଶାର ପ୍ରଥମ ପୂର୍ଣ୍ଣାଙ୍ଗ ରଙ୍ଗୀନ ଓଡିଆ କଥାଚିତ୍ର ‘ଗପ ହେଲେ ବି ସତ’(୧୯୭୬)

ନିର୍ଦ୍ଦେଶନା- ନଗେନ ରାଏ

ଫଟୋଗ୍ରାଫି-ସୁରେନ୍ଦ୍ର ସାହୁ

ସଙ୍ଗୀତ ନିର୍ଦ୍ଦେଶନା-ଭୁବନ ଓ ହରି

୩-ରୂପାଞ୍ଜଳିର ‘ଭାଇ ଭାଉଜ’ (୧୯୬୭)

ଅଭିନୟରେ-ବାବି, ପ୍ରତିହାରୀ, ବ୍ୟୋମକେଶ, ମଣିମାଳା, ସୁଂଯୁକ୍ତା, ପ୍ରଭାତୀ

୪-ମାରୁତି ଫିଲ୍ମସ ର ଦ୍ୱିତୀୟ ଅବଦାନ ‘ଡୋରା’ (୧୯୮୨)

କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା- ପ୍ରଶାନ୍ତ ନନ୍ଦ

ସଙ୍ଗୀତ- ଶାନ୍ତନୁ ମହାପାତ୍ର

୫- ମହାଲକ୍ଷ୍ମୀ ଫିଲ୍ମସ୍ ର ‘ସିନ୍ଦୁର ବିନ୍ଦୁ’(୧୯୭୬)

ନିର୍ଦ୍ଦେଶନା- ଶିଶିର ମିଶ୍ର

ସଙ୍ଗୀତ-ପ୍ରଫୁଲ୍ଲ କର

ଚିତ୍ରଗ୍ରହଣ- ଦିଲ୍ଲୀପ ଦତ୍ତ

୬-ବ୍ରଜରାଜ ମୁଭିଜ ର ‘ନାଗଫାଶ’(୧୯୭୭)

ଚିତ୍ରନାଟ୍ୟ-ବସନ୍ତ ସେଠୀ

ସଙ୍ଗୀତ-ଅକ୍ଷୟ ମହାନ୍ତି

୭-ଉକ୍ରଳ ଚଳଚ୍ଚିତ୍ର ପ୍ରା.ଲିଃ ର ୪ର୍ଥ ଅବଦାନ

ଦସ୍ୟୁ ରତ୍ନାକର(ଆଂଶିକ ରଙ୍ଗୀନ)୧୯୬୨

ନିର୍ଦ୍ଦେଶକ-ପ୍ରଭାତ ମୁଖାର୍ଜୀ

ସଙ୍ଗୀତ-ବାଳକୃଷ୍ଣ ଦାଶ

ସଂଳାପ-ଗୌରାଚାନ୍ଦ ମିଶ୍ର ଓ ପ୍ରମୋଦ ପାଣି

୮-ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନର ପ୍ରଥମ ଅବଦାନ ‘ମହାଲକ୍ଷ୍ମୀ ପୂଜା’(୧୯୫୯)

୯-ଦେବାଶିଷ ପିକଚର୍ସର ‘ଜୀବନ ସାଥୀ’

(ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବାଳକୃଷ୍ଣ ଦାଶଙ୍କର)

୧୦-ସର୍ବପ୍ରଥମ ଓଡିଆ ସିନେମାସ୍କୋପ୍ ରଙ୍ଗୀନ କଥାଚିତ୍ର ପ୍ରଶାନ୍ତ ନନ୍ଦଙ୍କ ‘ହିସାବ ନିକାଶ’

୧୧- ଦେଶବିଦେଶରେ ବହୁଚର୍ଚ୍ଚିତ ରଜତ କମଳ ବିଜେତା ନୀରଦ ମହାପାତ୍ରଙ୍କ ମାୟା ମିରିଗ

କାହାଣୀ- ବିଭୂତି ପଟ୍ଟନାୟକ

କ୍ୟାମେରା- ରାଜୁ ମିଶ୍ର

କଳା-ସଂପଦ ମହାପାତ୍ର