କିନ୍ନର କରିବେ ଜୟପୁରରେ ଟିକସ ଆଦାୟ

କିନ୍ନର କରିବେ ଜୟପୁରରେ ଟିକସ ଆଦାୟ

Saturday January 21, 2017,

2 min Read

୨୦୧୫ରେ ଯେତେବେଳେ ଚେନ୍ନାଇର ହିଲଟନ ହୋଟେଲର ମାଲିକ ବାରମ୍ବାର ନୋଟିସ ପାଇବା ପରେ ମଧ୍ୟ ୩୩.୯ ଲକ୍ଷ ଟଙ୍କାର ଟିକସ ଦେବାର ନାମ ମଧ୍ୟ ଧରୁନଥିଲେ ସେତେବେଳେ ପୌରପାଳିକାର ଅଧିକାରୀ ହୋଟେଲର ଗେଟ ସମ୍ମୁଖରେ ଦୁଇଜଣ କିନ୍ନର ଓ ବାଜାବାଲାଙ୍କୁ ଧରି ପହଞ୍ଚିଯାଇଥିଲେ। ଦେଖଣାହାରୀ ଦେଖୁଥାନ୍ତି, କିନ୍ନର ମାନେ ଗୀତ ଗାଇ ନାଚିବା ଆରମ୍ଭ କରିଦେଲେ। ଅଧିକାରୀ ମାନେ ହୋଟେଲ ମାଲିକଙ୍କ ବକେୟା ଟିକସ ବିଷୟରେ ଲେଖାଯାଇଥିବା ବ୍ୟାନର ଧରିଥାନ୍ତି। ଗୀତର ମର୍ମ ମଧ୍ୟ ବାକି ଟିକସକୁ ହିଁ ବୁଝାଉଥାଏ। ଖୁବଶୀଘ୍ର ଗହଳି ବଢିଲା। ଲଜ୍ଜାରେ ହୋଟେଲ ମାଲିକ ଶୀଘ୍ର ବାକି ଟିକସ ଦେବାକୁ ବାଧ୍ୟ ହେଇଥିଲେ। ଠିକ ସେହିଭଳି ପାକିସ୍ଥାନର କରାଚୀରେ ମଧ୍ୟ ହିଞ୍ଜଡ଼ା ମାନଙ୍କୁ ଟିକସ ଆଦାୟ ଦାୟିତ୍ଵ ଦିଆଯାଇଛି।

image


ଓଡିଶାର ଜୟପୁର ଠାରେ ଏହି ଦୃଷ୍ଟାନ୍ତକୁ ଅନୁସରଣ କରି ଏବେ ଏପରି କିଛି ପରମ୍ପରା ଆରମ୍ଭ ହେବାକୁ ଯାଉଛି। ଜୟପୁର ପୌରପାଳିକାର ଦୋକାନ ଭଡ଼ା, ଗୃହ ଟିକସ ବାବଦରେ ଲକ୍ଷ ଲକ୍ଷ ଟଙ୍କା ବକେୟା ପଡିରହିଛି। ଲୋକଙ୍କ ଠାରୁ ଟିକସ ଆଦାୟ କରିବା ପାଇଁ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି। ତେବେ କର୍ମଚାରୀଙ୍କ ଦ୍ୱାରା ବକେୟା ଟଙ୍କା ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ହୋଇପାରୁନାହିଁ। ଏଭଳି କ୍ଷେତ୍ରରେ ଏହି ଟିକସ ଆଦାୟ କରିବା ପାଇଁ ପୌରପାଳିକା ନୂଆ ପନ୍ଥା ଆପଣେଇଛି। ଜୟପୁର ପୌରପାଳିକାରେ କିନ୍ନର ଟିକସ ଆଦାୟ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।ସ ପୌରପରିଷଦ ବୈଠକରେ ଏହି ପ୍ରସ୍ତାବ ମଞ୍ଜୁରୀ ପାଇଛି। ଖୁବ୍‌ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ।

ନୂଆ ପ୍ରସ୍ତାବ ଅନୁଯାୟୀ ଦୋକାନ ଭଡ଼ା, ଗୃହ ଟିକସ ସମେତ ଅନ୍ୟାନ୍ୟ ଦେୟ ଆଦାୟ କ୍ଷେତ୍ରରେ ପୌର କର୍ମଚାରୀଙ୍କ ସହ କିନ୍ନରଙ୍କ ସହାୟତା ନିଆଯିବ। ଶନିବାରରେ ଜୟପୁର ପୌରପରିଷଦର ସାଧାରଣ ବୈଠକରେ ଏହାକୁ ମଞ୍ଜୁରୀ ଦିଆଯାଇଛି। ଜୟପୁର ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେବା ପରେ ପ୍ରଥମ ଥର ପାଇଁ ପୌର ପରିଷଦ ବୈଠକରେ ଅଂଶ ଗ୍ରହଣ କରିଛନ୍ତି। ବୈଠକରେ ପ୍ରସ୍ତାବ ସଂଖ୍ୟା ୪୧୧ ଅନୁଯାୟୀ ଅଣାଯାଇଥିବା ଏହି ପ୍ରସ୍ତାବକୁ ନେଇ ସରଗରମ ଆଲୋଚନା କରାଯାଇଥିଲା।