ଛୋଟ ସହରରେ କିଣାକିଣିର ଚମତ୍କାର ଅନୁଭବ ଦେଉଛି ନାଗପୁରର ଏହି ଷ୍ଟାର୍ଟଅପ୍

ଛୋଟ ସହରରେ କିଣାକିଣିର ଚମତ୍କାର ଅନୁଭବ ଦେଉଛି ନାଗପୁରର ଏହି ଷ୍ଟାର୍ଟଅପ୍

Thursday January 14, 2016,

4 min Read

୨୦୨୦ ସୁଦ୍ଧା ଭାରତର ଖୁଚୁରା ବଜାର ବ୍ୟବସାୟ ଏକ ଲକ୍ଷ କୋଟି ଆମେରିକୀୟ ଡଲାରରେ ପହଞ୍ଚିଥିବ, ଆଉ ଏଥିରୁ ୬୦୦୦ କୋଟି ହେଉଛି ଇ-କମର୍ସ । ଏଯାଏଁ ଭାରତୀୟ ଖୁଚୁରା ବଜାର ଏକ ଅଣଚିହ୍ନିତ କ୍ଷେତ୍ର ହୋଇ ରହିଯାଇଛି ଏବଂ ଅଫଲାଇନ ଓ ଅନଲାଇନ୍ ବିକ୍ରେତାଙ୍କ ମଧ୍ୟରେ ବ୍ୟାପକ ଦୂରତା ରହିଯାଇଛି ।

ସ୍ଵତନ୍ତ୍ର ଭାବେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରମାନଙ୍କୁ ଦୃଷ୍ଟିରେ ରଖି GetNowAt ଭଳି କିଣାକିଣି ୱେବସାଇଟ ପ୍ରସ୍ତୁତ କରାଯାଇଛି । ଏଥିରେ ଗ୍ରାହକମାନେ ଇଣ୍ଟରନେଟ, ମୋବାଇଲ ଆପ୍ (getnow.at/app), ଫୋନ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ସାମଗ୍ରୀ ମଗାଇ ପାରିବେ । ନାଗପୁରରେ ପ୍ରତିଷ୍ଠିତ ଏହି ଷ୍ଟାର୍ଟଅପ୍ ଏଯାବତ ୧୦ ହଜାରରୁ ଅଧିକ ଗ୍ରାହକ ପାଇସାରିଲାଣି, ୩ ହଜାରରୁ ଅଧିକ ବ୍ୟକ୍ତି ଏହି ଆପ୍ ବ୍ୟବହାର କରୁଛନ୍ତି ଏବଂ ମାସକୁ ୨୦୦୦ରୁ ଅଧିକ ଅର୍ଡର ଆସୁଛି । ବର୍ତ୍ତମାନ ଏଥିରେ ତେଜରାତି ସଉଦା, ତାଜା ଦ୍ରବ୍ୟ, ମିଠା ଓ ଖାରା, କେକ୍ ଓ ବେକେରି, ଇଲେକଟ୍ରୋନିକ୍ସ, ମୋବାଇଲ ଓ କମ୍ପ୍ୟୁଟର, ଘରୋଇ ସରଂଜାମ ଇତ୍ୟାଦି ଉପଲବ୍ଧ ଥିବାବେଳେ ଆଗକୁ ଟିକେଟ୍ ବୁକ୍ ଓ ଔଷଧ ବିକ୍ରୟ ଏହା ସହ ସାମିଲ କରିବାକୁ ଯୋଜନା ରହିଛି ।

image


ଅଫଲାଇନରୁ ଅନଲାଇନ୍

GetNowAtର ପ୍ରତିଷ୍ଠାତାମାନେ ଅନୁଭବ କରନ୍ତି, ଅଫଲାଇନ ବିକ୍ରେତାମାନେ ପ୍ରଯୁକ୍ତିକୁ ଡରୁଛନ୍ତି । GetNowAt ସହ-ପ୍ରତିଷ୍ଠାତା ଜୟେଶ ବାଗଡେ଼(୩୫) କହନ୍ତି, ‘ଭାରତରେ ସମୁଦାୟ ବାଣିଜ୍ୟର ୫୭ ପ୍ରତିଶତ ହେଉଛି ଖାଦ୍ୟ ଓ ତେଜରାତି ସାମଗ୍ରୀ । ଆପଣ ରହୁଥିବା ସ୍ଥାନଠାରୁ ସୀମିତ ପରିଧି ମଧ୍ୟରେ ଘଟୁଥିବା କିଣାବିକା ବ୍ୟାପାରକୁ ହାଇପରଲୋକାଲ ଓ ନିଅରକମର୍ସ ବୋଲି ବୁଝିବା । ଏବଂ ଏଯାବତ ଏହା ଅଫଲାଇନରେ ହିଁ ଚାଲିଛି।’

ଅନ୍ୟତମ ସହ-ପ୍ରତିଷ୍ଠାତା ଶୈଳେଶ ଦେଶପାଣ୍ଡେ କହନ୍ତି, ‘ଆମେ ଅଫଲାଇନ-ଟୁ-ଅନଲାଇନ(O2O) କ୍ଷେତ୍ରରେ ପ୍ରବେଶ କରି ଉଚ୍ଚଦରର ସେବା ପ୍ରତିଶ୍ରୁତି ଓ ପ୍ରଯୁକ୍ତି ମାଧ୍ୟମରେ ଦୂରତାକୁ ଯୋଡ଼ିବାକୁ ନିଷ୍ପତ୍ତି ନେଲୁ । ଆମେ ସ୍ଥାନୀୟ ବିକ୍ରେତାମାନଙ୍କ ପାଇଁ ଗୋଟେ ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ କଲୁ ଯେଉଁଠି ସେମାନେ ନିଜର ବିକ୍ରିଯୋଗ୍ୟ ଦ୍ରବ୍ୟ ସ୍ଥାନିତ କରିପାରିବେ । ଆମେ ସେମାନଙ୍କୁ ଗ୍ରାହକଙ୍କ ସହ ସିଧାସଳଖ ଯୋଡ଼ିବା ସମେତ ଅଧିକ ଅର୍ଡର ସୃଷ୍ଟିକଲୁ, ଷ୍ଟୋରରୁ ଦ୍ରବ୍ୟ ଆଣି ସମାନ ଦିନ ଗ୍ରାହକ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କଲୁ ଏବଂ ଗ୍ରାହକଙ୍କ ଠାରୁ ଦେୟ ଆଣିବା ଦାୟିତ୍ୱ ବି ଆମେ ମୁଣ୍ଡାଇଲୁ ।’

ଭିସି-ସର୍କଲ କାର୍ଯ୍ୟକ୍ରମରେ ଜୟେଶଙ୍କ ପ୍ରଚେଷ୍ଟା ପରେ ଜୁନ ୨୦୧୫ରେ ମୁମ୍ବାଇର ପୁଞ୍ଜିଦାତା ଅତୁଲ୍ୟ ମିତ୍ତଲଙ୍କ ଠାରୁ ପ୍ରାକ୍-ସିଡ୍ ରାଉଣ୍ଡରେ ପୁଞ୍ଜି ହାସଲ କରିବାରେ ସମର୍ଥ ହେଲା GetNowAt ।

ଅତୁଲ୍ୟ ମିତ୍ତଲ କହନ୍ତି, ‘ଗୋଟେ ଛୋଟ ବ୍ୟବସାୟକ ବିକଶିତ କରିବାକୁ ସେମାନଙ୍କର ଆଗ୍ରହ ଓ ଉଦ୍ୟମ ମୋତେ ପ୍ରଭାବିତ କଲା ଓ GetNowAtରେ ପୁଞ୍ଜିନିବେଶ ପାଇଁ ମୁଁ ନିଷ୍ପତ୍ତି ନେଲି । ଯଦିଓ ସେମାନେ ମୂଳରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସ୍ଥାନୀୟ ବିକ୍ରେତାଙ୍କୁ ବଜାର ଚାହିଦା ଅର୍ଥନୀତି ସହ ପ୍ରତିଯୋଗିତା କରିବାର ଉଦ୍ୟମ ମୋର ପସନ୍ଦ ଆସିଲା ।’

ସମମନା ଧାରାବାହିକ ଉଦ୍ୟୋଗୀ

ଜୟେଶ ଜଣେ ଧାରବାହିକ ଉଦ୍ୟୋଗୀ ଯିଏ କି touristlink.comର ସହ-ପ୍ରତିଷ୍ଠାତା ସାଙ୍ଗକୁ holiday.com, Go Trip India Privalte Limited, Salt Lake SMS India Pvt Ltd ପ୍ରମୁଖ ପ୍ରତିଷ୍ଠାନର ସିଓଓ ଥିଲେ । ୨୦୧୪ ନଭେମ୍ବରରେ ସେ GetNowAt ଏକକ ଉଦ୍ୟମରେ ଆରମ୍ଭ କଲେ । ସେତେବେଳେ ଭର୍ଜିନିଆରୁ ପ୍ରଯୁକ୍ତି ପାଠ ପଢ଼ି ଆସିଥିବା ଶୈଳେଶ ନାଗପୁରରେ ଇଣ୍ଡିଲଫ୍ଟ ଆରମ୍ଭ କଲେ । ଉଭୟେ ନାଗପୁର ଷ୍ଟାର୍ଟଅପ୍ ମିଟ ରେ ଭେଟ ହେଲେ ଓ ହାତ ମିଳାଇବାକୁ ନିଷ୍ପତ୍ତି ନେଲେ ।

ଶୈଳେଶ କହନ୍ତି, ‘ଆମେ ପ୍ରତିଟି ଡେଲିଭରିରୁ କମିଶନ ପାଇଥାଉ । ବିକ୍ରେତାମାନଙ୍କ ପାଇଁ ଆମ ପ୍ଲାଟଫର୍ମରେ କୌଣସି ଦେୟ ନାହିଁ । ଦେଣନେଣ ସଫଳ ହେଲେ ହିଁ ଜଣେ ସଫଳ ବିକ୍ରେତା ଠାରୁ ଆମେ କମିଶନ ଆଦାୟ କରିଥାଉ ।

ତେବେ ଏଭଳି ସେବା ଯୋଗାଇବାରେ କ’ଣ GetNowAt ପ୍ରଥମ? ନା ଏଥିରେ ବି ପ୍ରତିଯୋଗିତା ଅଛି । ଜୟେଶ କହନ୍ତି, ‘ଦେଶରେ ୫୭ ଭାଗ ବଜାର ତେଜରାତିର ଥିବା ବେଳେ ଆମେ ୫୭ ହଜାର କୋଟି ଡଲାରର ସମୁଦାୟ ବଜାର ଆମକୁ ଅପେକ୍ଷା କରିଛି । ଏଥିରୁ ୪୦ ପ୍ରତିଶତ ମେଯ୍ୟୋ ସହରରେ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ବଜାରର ଆକାର ୩୪ ହଜାର କୋଟି ଡଲାର ହେବ । ବଡ଼ ବଡ଼ ଅନୁଷ୍ଠାନ ଓ ସ୍ଥାନୀୟ କ୍ଷୁଦ୍ର ଅନୁଷ୍ଠାନଗୁଡ଼ି ପାଇଁ ଏ ବଜାରରେ ବ୍ୟାପକ ସୁଯୋଗ ରହିଛି ।’

ଶୈଳେଶ ପୁଣି କହନ୍ତି, ‘ଆମେ ଗ୍ରୋଫର୍ସ, ପିପରଟ୍ୟାପ୍, ବିଗ୍ ବାସ୍କେଟ ଭଳି ବଡ଼ ବଡ଼ କମ୍ପାନିକୁ ଆମର ପ୍ରତିଯୋଗୀ ବୋଲି ଭାବୁନା । ବରଂ ସେମାନେ ଆମର ସହଯୋଗୀ ହେଇପାରିବେ । ଆମେ ଏବେ କିଛି ପୁଞ୍ଜିଦାତାଙ୍କ ସହ ପରବର୍ତ୍ତୀ ନିବେଶ ପାଇଁ କଥାବାର୍ତ୍ତା କରୁଛୁ ।

image


GetNowAt ଏବେ କେବଳ ନାଗପୁରରେ ଅଧିକରୁ ଅଧିକ ଗ୍ରାହକ ଆପଣେଇବାକୁ ଉଦ୍ୟମ କରୁଛି ।

ସେମାନେ କ’ଣ ଆହରଣ କରିଛନ୍ତି?

GetNowAtର ପ୍ରତିଷ୍ଠାତାମାନେ ନିଜର ଶିକ୍ଷା ଓ ଅନୁଭୂତି ନିମ୍ନମତେ ବଖାଣିଛନ୍ତି-

ସବୁକିଛି ହାଇପରଲୋକାଲ ନୁହେଁ: ଏମିତି କିଛି ଦ୍ରବ୍ୟ ଅଛି ଯାହା ସ୍ଥାନୀୟ ବ୍ୟବସାୟ ଉପରେ ହିଁ ନିର୍ଭର କରେ

ଦେଢ଼ ଘଣ୍ଟାରେ ୫୦ ପ୍ରତିଶତ ଅପେକ୍ଷା ୪ ଘଣ୍ଟାରେ ୧୦୦ ପ୍ରତିଶତ ଭଲ: ତ୍ୱରିତ ଡେଲିଭରି ଭଲ, କିନ୍ତୁ ଶତପ୍ରତିଶତ ସେବା ଓ ଗ୍ରାହକ ସନ୍ତୁଷ୍ଟି ତାହା ଠାରୁ ଅଧିକ ଗୁରୁତ୍ୱପୂର୍ଣ

ମୁହଁର ଭାଷା ହିଁ ସବୁକିଛି: ବିଜ୍ଞାପନ, ରିହାତି ଅପେକ୍ଷା ବ୍ୟକ୍ତିଗତ ଗ୍ରାହକସେବା ଅଧିକ ଗୁରୁତ୍ତ୍ଵପୂର୍ଣ

ସମ୍ପୂର୍ଣ ଭାବେ ଗ୍ରାହକଙ୍କୁ ଏଡ଼ାଇବା ନିରର୍ଥକ: ବରଂ ସେମାନଙ୍କ ବ୍ୟବହାର ଓ ଅଭ୍ୟାସ ପରିବର୍ତ୍ତନ ପାଇଁ ଚେଷ୍ଟା କରିବା

ଶୈଳେଶ କହନ୍ତି, ‘ଛୋଟ ସହର ବା ବଜାରରେ ରହୁଥିବା ବ୍ୟକ୍ତି ଯେତେବେଳେ ବିଶ୍ୱସ୍ତରୀୟ ବଡ଼ ବ୍ୟବସାୟର ସ୍ଵପ୍ନ ଦେଖେ, ମୁଁ ଏହାକୁ ପ୍ରଶଂସା କରେ । ଯେମିତି କି ମୁଁ ନିଜେ ଆମେରିକା ଛାଡ଼ି ଭାରତ ଫେରିଆସିଲି । ମୁଁ ଆଶା କରୁଛି ଚାଲାଖ ବ୍ୟକ୍ତି ନିଜ ଘରସହରକୁ ଫେରିଆସିବ । ଭାରତର ବିକାଶ ସେତେବେଳେ ହେବ ଯେତେବେଳେ ସମସ୍ତେ ଏହାର ଫାଇଦା ପାଇବେ ।’

ୱେବସାଇଟ

ମୂଳ ଲେଖା - ମୁକ୍ତି ମଶିହ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା