ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ : ଦୁର୍ନୀତି ଓ ରାଜନୀତି ଭାଇ ଭାଇ !

ଲେଖନ୍ତି AAPର ନେତା ଓ ସାମ୍ବାଦିକ ଆଶୁତୋଷ

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ : ଦୁର୍ନୀତି ଓ ରାଜନୀତି ଭାଇ ଭାଇ !

Thursday May 12, 2016,

4 min Read

ବାରମ୍ବାର ଏ କଥା କୁହାଯାଇଥାଏ ଯେ ଦୁର୍ନୀତି କ୍ୟାନସର ପରି ଏକ ରୋଗ ଯାହା ଭାରତକୁ ନଷ୍ଟ କରିବାରେ ଲାଗିଛି। କିନ୍ତୁ ଏ କ୍ୟାନସର ଦୁରାରୋଗ୍ୟ ଲାଗୁଛି। ଏହି କ୍ରମରେ ସର୍ବଶେଷ ଉପାଖ୍ୟାନ ହେଉଛି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ସ୍କାମ। ପ୍ରସଙ୍ଗଟି ନୂଆ ନୁହେଁ। ଉପା ଶାସନ କାଳରେ ୨୦୧୪ ସାଧାରଣ ନିର୍ବାଚନ ବେଳେ ଏ କଥା ଉଠିଥିଲା। କିନ୍ତୁ ସମ୍ପ୍ରତି ମିଲାନ ଅଦାଲତର ରାୟ ପୁଣି ଥରେ ପ୍ରସଙ୍ଗଟିକୁ ଜୀବନ୍ତ କରିଛି ଏବଂ ବେଶ୍ କିଛି ଦିନ ଧରି ଦେଶରେ ଏ ବିଷୟରେ ତର୍କ ଚାଲିଛି। ଶାସକ ବିଜେପି ଦଳ ଏ ନେଇ କଂଗ୍ରେସକୁ ଦୋଷାରୋପ କରୁଛି ଏବଂ କଂଗ୍ରେସ ବିଜେପିକୁ ଆକ୍ରମଣ କରୁଛି।

image


ଏହା ଏକେବାରେ ଏକ କ୍ଲାସିକ ମାମଲା ଯାହା ଜଳଜଳ କରି ସୂଚାଇଦେଉଛି ଆମ ବ୍ୟବସ୍ଥାରେ ଥିବା ଭୁଲକୁ ଯାହା ଘୁଣପୋକ ପରି ଆମ ଦେଶର ରାଜନୈତିକ ଅସ୍ମିତାକୁ ଖାଇ ଚାଲିଛି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ କାରବାର ବାଜପେୟୀ ସରକାର ସମୟରେ ଆରମ୍ଭ ହୋଇଥିଲା। ଏବଂ ସେହି ସମୟରେ ଏହି ମୂଳ ଭିଭିଆଇପି ହେଲିକପ୍ଟର ଅର୍ଡ଼ରରେ କିଛି ସର୍ତ୍ତର ପରିବର୍ତ୍ତନ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ କମ୍ପାନୀର ଲାଭ ପାଇଁ ଏହି ପରିବର୍ତ୍ତନ କରାଯାଇଥିଲା, ଯାହା ଫଳରେ ସେତେବେଳେ ଏବଂ ପରେ କୋଟି କୋଟି ୟୁରୋ ପ୍ରଦାନ କରାଯାଇଥିଲା। ୨୦୦୪ରେ ବାଜପେୟୀ ସରକାର ନିର୍ବାଚନ ହାରିଯାଇଥିଲେ ଏବଂ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେଲେ। ତାଙ୍କ ସମୟରେ କାରବାରଟି ଚୂଡ଼ାନ୍ତ ହୋଇଥିଲା। ଏହି ସ୍କାମଟି ୨୦୧୪ନିର୍ବାଚନ ବେଳକୁ ସାଧାରଣରେ ପ୍ରକାଶିତ ହେଲା। ନିକଟରେ ପାଞ୍ଚୋଟି ରାଜ୍ୟର ନିର୍ବାଚନ ହେବାକୁ ଥିବାବେଳେ ମିଲାନ ଅଦାଲତର ରାୟ କଂଗ୍ରେସକୁ କୋଣଠେସା କରିବାକୁ ବିଜେପି ପାଇଁ ଏକ ବିରାଟ ସୁଯୋଗ ଆଣିଦେଇଛି। ଅଦାଲତର ରାୟ ସୋନିଆ ଗାନ୍ଧି ଓ ଅହମଦ ପଟେଲଙ୍କ ନାମ ଉଲ୍ଲେଖ କରିଛି କିନ୍ତୁ ସେମାନେ ବା ଅନ୍ୟ କେହି ରାଜନେତା ଅଭିଯୁକ୍ତ ହୋଇ ନାହାନ୍ତି। ଏଥି ପାଇଁ ତଦନ୍ତ ଆହୁରି ବାକି ଅଛି ।

ଅବଶ୍ୟ ବିଜେପି ଆକ୍ରମଣାତ୍ମକ ହୋଇ ଉଠିଛି ଏବଂ କଂଗ୍ରେସକୁ ଧରାଶାୟୀ କରିବାକୁ ଚାହେଁ କିନ୍ତୁ ଏ ଦିଗରେ କି ଅଗ୍ରଗତି ହୋଇଛି? ଦୋଷୀକୁ ଦଣ୍ଡ ଦେବା ତ ଦୂରର କଥା ଏ ବିଷୟରେ ଉଚିତ ତଦନ୍ତ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ଯେତେବେଳେ ଇଟାଲୀ ସରକାର ତଦନ୍ତ ଓ ବିଚାର ବିଭାଗୀୟ ପ୍ରକ୍ରିୟା ସମାପ୍ତ କରି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଲାଞ୍ଚ ନେଇଥିବା ଅଭିଯୋଗରେ ଜେଲ ଭିତରକୁ ଢୁକାଇ ସାରିଲେଣି।

ଏ ମାମଲାରେ ମନମୋହନ ସିଂହ ସରକାରର ନିଷ୍କ୍ରିୟତା ବୁଝି ହେଉଛି କିନ୍ତୁ ମୋଦି ସରକାର ଗତ ଦୁଇ ବର୍ଷ ମଧ୍ୟରେ କାହିଁକି ଏ ଦିଗରେ କିଛି ବି ଆଖିଦୃଶିଆ କରି ନାହାନ୍ତି? ଯେତେବେଳେ କି ମୋଦି ସଦାବେଳେ କହି ଆସିଛନ୍ତି ଯେ ସେ ଦୁର୍ନୀତିକୁ ସହ୍ୟ କରିବେନି ବା ପ୍ରଶୟ ଦେବେନି। ତେଣୁ ସେ ଦେଶକୁ ଏବେ ଏକ କୈଫିୟତ ଦେବାର ଅଛି।

ଦ୍ଵିତୀୟତଃ ବିଜେପି ନେତାମାନେ ଉଚ୍ଚ ଗଳାରେ ଚିତ୍କାର କରିବାରେ ଲାଗିଛନ୍ତି ଯେ ସୋନିଆ ଗାନ୍ଧି ଏ କାରବାରରେ ବହୁତ ପଇସା ଖାଇଯାଇଛନ୍ତି। ମୋଦି ବି ତାମିଲନାଡ଼ୁ ନିର୍ବାଚନ ସଭାଗୁଡ଼ିକରେ ତାଙ୍କର ଅନେକ ନିନ୍ଦା କରିସାରିଛନ୍ତି। କିନ୍ତୁ ଏ ଦିଗରେ ହୋଇଛି କ'ଣ। ଗିରଫ ଓ ଜେରା କରିବା ତ ଦୂରର କଥା ତାଙ୍କୁ ପ୍ରଶ୍ନ କରିବା ପାଇଁ ସାମାନ୍ୟ ଏକ ନୋଟିସ ମଧ୍ୟ କରାଯାଇ ପାରିନି। ମଜାର ବିଷୟ ହେଉଛି ଯେ ଅମିତ ଶାହ ସୋନିଆ ଗାନ୍ଧିଙ୍କୁ ଲାଞ୍ଚ ଗ୍ରହୀତାମାନଙ୍କର ନାମ ପ୍ରକାଶ କରିବାକୁ କହିଛନ୍ତି। ଏହା ଚୋରକୁ ତା'ର ସହଯୋଗୀ ମାନଙ୍କ ନାମ କହିବା ପାଇଁ ଚୋର ସମ୍ମୁଖରେ ଅଧିଆ ପଡ଼ିବା ସହିତ ସମାନ। ବସ୍ତୁତଃ କଂଗ୍ରେସ ଚ୍ୟାଲେଞ୍ଜ କରିଛି ଯେ ଏହାର ନେତାମାନଙ୍କୁ ବଦନାମ କରିବା ପରିବର୍ତ୍ତେ ମୋଦି ସରକାର ଦୁଇ ମାସ ମଧ୍ୟରେ ସମଗ୍ର ତଦନ୍ତ ପ୍ରକ୍ରିୟା ସମାପ୍ତ କରୁ। କିନ୍ତୁ ସରକାରର ପ୍ରତିକ୍ରିୟା ଶୂନ୍ୟ।

ଏଇ ପରିପ୍ରେକ୍ଷୀରେ ତଥାକଥିତ ସ୍କାମଟି ଆମର ବ୍ୟବସ୍ଥା ଏବଂ ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ ଏହାର ପ୍ରତିବଦ୍ଧତା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରଖୁଛି।

୧.ପ୍ରତିଷ୍ଠିତ ରାଜନୈତିକ ଦଳ ମାନେ କ'ଣ ପ୍ରକୃତରେ ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ ଆଗ୍ରହୀ?

ଏହାର ଉତ୍ତର ହେଉଛି ଏକ ବଡ଼ 'ନା'। ବରଂ ଏହା ବିରୋଧୀ ମାନଙ୍କୁ ପାନେ ଦେବା ପାଇଁ ଏକ ରାଜନୈତିକ ଅସ୍ତ୍ର ଭାବେ ବେଶୀ ବ୍ୟବହୃତ ହୋଇଥାଏ। ନିର୍ବାଚନରେ ଲାଭ ପାଇବା ଆଶାରେ ବିଜେପି ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାକୁ ବ୍ୟବହାର କରୁଛି କଂଗ୍ରେସ ମୁହଁରେ କଳା ବୋଳିବା ପାଇଁ। ଯଦି ବିଜେପି ପ୍ରକୃତରେ ଏ ମାମଲାକୁ ଗୁରୁତ୍ଵ ଦେଉଥାନ୍ତା ତାହାହେଲେ ତଦନ୍ତ ଶେଷ ହୋଇ ଦୋଷୀ ଏବେ ଜେଲରେ ଥା'ନ୍ତେ; ଇଟାଲିରେ ଯେପରି ହୋଇଛି।

୨. ରାଜନୈତିକ ଦଳ ମାନେ କ'ଣ ଦୁର୍ନୀତି ପ୍ରସଙ୍ଗର ଉର୍ଦ୍ଧ୍ଵରେ? 

ଏହାର ଉତ୍ତର ହେଉଛି ପୁଣି ଏକ ବଡ଼ 'ନା'। କଂଗ୍ରେସ ଯଦି କିଛି ଭୁଲ ପାଇଁ ଦାୟୀ ତାହାହେଲେ ବିଜେପି ମଧ୍ୟ ହେଲିକପ୍ଟରର ସ୍ପେଶିଫିକେସନରେ ପରେ ଯେଉଁ ପରିବର୍ତ୍ତନ ହେଲା ସେଥିପାଇଁ ଦାୟୀ, ଯାହା ଅଗସ୍ତା ୱେଷ୍ଟଲ୍ୟାଣ୍ଡକୁ ପରେ ଅନେକ ଫାଇଦା ଦେଇଥିଲା।

୩.ନିଷ୍କ୍ରିୟତା ପାଇଁ କ'ଣ ତଦନ୍ତକାରୀ ସଂସ୍ଥା ମାନଙ୍କୁ ଦୋଷ ଦିଆଯିବ? 

ଏହାର ଉତ୍ତର ପୁଣି ଏକ ବଡ଼ 'ନା'। କାରଣ ତଦନ୍ତକାରୀ ସଂସ୍ଥାମାନେ ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ଏବଂ ସରକାରଙ୍କ ଅନୁଗ୍ରହରେ କାର୍ଯ୍ୟରତ। ତେଣୁ ସିବିଆଇ ବା ଇଡିକୁ ତଦନ୍ତ ପ୍ରକ୍ରିୟା ନ ହେଉଥିବା ପାଇଁ ଦାୟୀ କରାଯିବା ଉଚିତ ନୁହେଁ। ଏଥିରେ ପ୍ରକୃତ ଦୋଷୀ ହେଉଛନ୍ତି ଶାସକ ଦଳର ତଥାକଥିତ ଅଭିଜାତମାନେ ଯେଉଁମାନେ ଦୁର୍ନୀତିର ବାସ୍ତବ ହିତାଧିକାରୀ।

୪.ଏହାର ସମାଧାନ କ'ଣ?ଦୁର୍ନୀତିକୁ କିପରି ପରାହତ କରିହେବ? 

ଉତ୍ତର ସରଳ; ତଦନ୍ତକୁ ଏହାର ଉଚିତ ଯୁକ୍ତିସମ୍ମତ ପରିଣତିରେ ପହଞ୍ଚିବା ପାଇଁ ଏଜେନ୍ସିଗୁଡ଼ିକ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ବା ସ୍ଵାଧୀନ ହେବା ଆବଶ୍ୟକ ଏବଂ ତଦନ୍ତ ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମାରେ ସଂପୂର୍ଣ୍ଣ ହେଉଥିବା ଆବଶ୍ୟକ।

୫. ଏହା କ'ଣ କେବେ ସମ୍ଭବ? 

ଉତ୍ତର ଏକ କମ୍ପିତ 'ନା'। କାହିଁକି? ଆମେ ଦେଖିବା ଯେ ଆନ୍ନା ଆନ୍ଦୋଳନ ସମୟରେ ଦୁର୍ନୀତି ନିବାରଣ ପାଇଁ ଏକ ସ୍ଵାଧୀନ ଓ ଶକ୍ତିଶାଳୀ ଲୋକପାଳ ନିଯୁକ୍ତ କରିବା ଲାଗି ଦାବୀ ହୋଇଥିଲା। ଅନେକ ଚାପ ପରେ ସଂସଦ ଦ୍ଵାରା ଏକ ଦୁର୍ବଳ ଲୋକପାଳ ପଦ ସୃଷ୍ଟି କରାହେଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ନିଯୁକ୍ତି ହୋଇନାହିଁ। ଯଦି ମୋଦୀ ପ୍ରକୃତରେ ଦୁର୍ନୀତି ନିବାରଣ ପାଇଁ ପ୍ରତିବଦ୍ଧ ତାହା ହେଲେ ଲୋକପାଳ ନିଯୁକ୍ତ କରି ତାହା ପ୍ରମାଣ କରିପାରିଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ତା' ହେବାର ନାହିଁ !

ମୋର ଆଶଙ୍କା ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା ବୋଫର୍ସର ପଥ ଅନୁସରଣ କରିବ ଏବଂ ପରିଶେଷରେ କିଛି ବି ଫଳ ମିଳିବନି! ଦୋଷୀ ମାନେ ନିଶ୍ଚିନ୍ତ ହୋଇ ଘୂରି ବୁଲିବେଏବଂ ପୂର୍ବପରି ଜନତାର ପଇସା ଲୁଟ୍ ହୋଇ ଚାଲିବ। ଏଥିପାଇଁ ଆବଶ୍ୟକ ଏକ ନୂଆ ପ୍ରକାରର ବିପ୍ଳବ ଯାହା ସମ୍ବିଧାନସମ୍ମତ ଏବଂ ଯାହା ବ୍ୟବସ୍ଥାର ପୂର୍ବ ସନ୍ତୁଳନ ଫେରାଇ ଆଣିପାରିବ। ତାହା କ'ଣ କେବେ ହୋଇ ପାରିବ? ତାହା ତ ଏକ ମିଲିୟନ ଡଲାରର ପ୍ରଶ୍ନ, କାରଣ କ୍ୟାନସରକୁ ଆବଶ୍ୟକ ସ୍ଥାୟୀ ଆରୋଗ୍ୟ, ସ୍ଳୋଗାନ ଓ ଭାଷଣବାଜି ନୁହେଁ !

(Disclaimer : ଲେଖାର ବିଷୟ ଓ ମତାମତ ଏକାନ୍ତ ଭାବେ ଲେଖକଙ୍କ ନିଜସ୍ୱ)