ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ଯୋଜନା, ୮୦୦ କୋଟିର ବଜେଟ : ଦକ୍ଷତା ବିକାଶ କରାଇବ ଆମେରିକା ସଂସ୍ଥା

ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ଯୋଜନା, ୮୦୦ କୋଟିର ବଜେଟ : ଦକ୍ଷତା ବିକାଶ କରାଇବ ଆମେରିକା ସଂସ୍ଥା

Saturday March 26, 2016,

2 min Read

ରାଜ୍ୟର ବିଭିନ୍ନ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ସହ ଦକ୍ଷତା ବିକାଶ କରିବା କରିବା ଲାଗି ସରକାର ଯୋଜନା କରିଛନ୍ତି | ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବା ସହ ଶିକ୍ଷାର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇବ | ୨୦୧୫-୧୬ ଶିକ୍ଷା ବର୍ଷରେ ୩୦ଟି ବ୍ଲକର ୩୦ଟି ସ୍କୁଲରେ ଏଭଳି ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ଆରମ୍ଭ କରାଯାଇଥିଲା | ସୂଚନା ପ୍ରଯୁକ୍ତି ଓ ଅଟୋମୋବାଇଲ୍ ଭଳି ଟ୍ରେଡ୍ ରେ ଦକ୍ଷତା ବିକାଶ କରାଯାଉଛି | ତେବେ ଏହାର ସଫଳତା ପରେ ରାଜ୍ୟର ଅବଶିଷ୍ଟ ୨୮୪ ବ୍ଲକ୍ ର ଗୋଟିଏ ଗୋଟିଏ ସ୍କୁଲରେ ଏଭଳି ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରିବାକୁ ସ୍ଥିର କରାଯାଇଛି |

image


ସବୁଠୁ ଖୁସୀର ବିଷୟ ଯେ ଆନ୍ତର୍ଜାତିୟ ସ୍ତରର ସୁନାମଧନ୍ୟ ୱାଧୱାନୀ ଫାଉଣ୍ଡେସନ୍ ଭଳି ସଂସ୍ଥା ରାଜ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷାରେ ଦକ୍ଷତା ବିକାଶ ପାଇଁ ସାହାଯ୍ୟର ହାତ ବଢାଇଛି | ଏଥିପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଓ ଆନୁଷଙ୍ଗିକ ସହାୟତ ନିଶୁଳ୍କରେ ଯୋଗାଇ ଦେବ ବୋଲି ଆଗ୍ରହ ପ୍ରକାଶ କରିଛି | ଆମେରିକାସ୍ଥିତ ୱାଧୱାନୀ ଫାଉଣ୍ଡେସନ୍ ପାକିସ୍ତାନ, ବାଙ୍ଗଲାଦେଶ ଆଦି ରାଷ୍ଟ୍ରରେ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଦେଉଛି | ଏହା ଭାରତରେ ହରିଆଣା, ହିମାଚଳ ପ୍ରଦେଶ, ପଂଜାବ, ରାଜସ୍ଥାନ, ଝାଡଖଣ୍ଡ ଭଳି ରାଜ୍ୟରେ ମଧ୍ୟ ଧନ୍ଦାମୂଳକ ଶିକ୍ଷାର ଭାର ହାତକୁ ନେଇଛି | ଓଡିଶାରେ ମଧ୍ୟ ଏହି ସଂସ୍ଥା ଧନ୍ଦାମୂଳକ ଶିକ୍ଷାକୁ ଆଗକୁ ବଢାଇବ | ଫଳରେ ଆଉ ୨୮୪ ବ୍ଲକରେ ଗୋଟିଏ ଲେଖାଁଏ ସ୍କୁଲରେ ଧନ୍ଦାମୂଳକ ଟ୍ରେଡ୍ ରହିପାରିବ | ୨୦୧୬-୨୦୧୭ ଶିକ୍ଷା ବର୍ଷଠାରୁ ଏହା କାର୍ଯ୍ୟକାରୀ କରିବାକୁ ନିଷ୍ପତି ନିଆଯାଇଛି |

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରତ୍ନାକର ରାଉତ କହିଛନ୍ତି,

ଧନ୍ଦାମୂଳକ ଶିକ୍ଷା ପାଇଁ ୱାଧାନୀ ଫାଉଣ୍ଡେସନ୍ ହାତ ବଢାଇବା ପରେ ଏହି କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନିଆଯାଇପାରିବ | ପ୍ରଥମ ପର୍ଯ୍ୟାୟରେ ୩୦ଟି ସ୍କୁଲରେ ହେଉଥିବା ଧନ୍ଦାମୂଳକ ଶିକ୍ଷା ବୁଝାମଣାପତ୍ର ସ୍ୱାକ୍ଷର ହେବା ପରେ ପ୍ରତିବ୍ଲକରେ ଗୋଟିଏ ଲେଖାଁଏ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ଦେଇପାରିବ। 

ୱାଧୱାନୀ ଫାଉଣ୍ଡେସନ୍ ଏଇ ନିକଟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି | ପୂର୍ବରୁ ଜାତୀୟ ଦକ୍ଷତା ବିକାଶ ପରିଷଦ ଦକ୍ଷତା ବିକାଶ କ୍ଷେତ୍ରରେ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ୟରନେଷ୍ଟ ଆଣ୍ଡ୍ ୟଙ୍ଗ୍ ଭଳି ବିଶେଷଜ୍ଞ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ | ସଂସ୍ଥାର ରିପୋର୍ଟ ଆଧାରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ମୋଟ ୪୦ଟି ବିଷୟରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି | ଏହାକୁ ଭିତ୍ତିକରି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି)ର ନିଷ୍ପତି ପରେ କ୍ଷେତ୍ରୀୟ ଆବଶ୍ୟକତାକୁ ବିଚାର କରି ଶିକ୍ଷା ବିଭାଗ ନିଜର ରୋଡ୍ ମ୍ୟାପ୍ ଚୂଡାନ୍ତ କରିବ | ଏହି ଯୋଜନାର ରୂପରେଖ ସମ୍ପର୍କରେ ପ୍ରଥମେ ପିଏବିରେ ଉପସ୍ଥାପିତ କରାଯିବ, ପରବର୍ତ୍ତୀ ସମୟରେ ଅନୁମୋଦନ ପରେ ସଂପୃକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ | ପୂର୍ବରୁ ୩୧୪ଟି ବ୍ଲକରେ ୩ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା | କିନ୍ତୁ ଚଳିତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ହେଉଥିବାରୁ ଏହାକୁ ଆସନ୍ତା ଶିକ୍ଷାବର୍ଷରେ ଫଳପ୍ରଦ କରିବା ପାଇଁ ସ୍ଥିର କରିଛନ୍ତି |