ଓଡ଼ିଆ ଉଦ୍ଭାବକଙ୍କୁ ନାସା ପୁରସ୍କାର - ସମୀର ପଣ୍ଡାଙ୍କ ଅଭିନବ ଟାୟାର

ଓଡ଼ିଆ ଉଦ୍ଭାବକଙ୍କୁ ନାସା ପୁରସ୍କାର - ସମୀର ପଣ୍ଡାଙ୍କ ଅଭିନବ ଟାୟାର

Sunday February 14, 2016,

3 min Read

image


ଆପଣ ଦ୍ରୁତ ଗତିରେ ବାଇକ୍ ବା କାର୍ ଚାଳନା କରି ଯାଉଛନ୍ତି । ରାସ୍ତା ମଝିରେ ଯଦି ହଠାତ ଟାୟାର ଫାଟିଯାଏ କ’ଣ ହେବ? ଦୁର୍ଘଟଣା ହେବା ସୁନିଶ୍ଚିତ । ଗାଡ଼ି ଭାରସାମ୍ୟ ହରାଇ ଓଲଟି ଯାଇପାରେ, ଘୋଷାଡ଼ି ହୋଇ କେଉଁଠି ଧକ୍କା ଖାଇପାରେ, ଉଚ୍ଚ ରାସ୍ତାରୁ ତଳ ଖାତକୁ ଖସିପାରେ । ଆଉ ଏହା ଏତେ ସୀମିତ ମୂହୂର୍ତରେ ଘଟିବ ଯେ ଆପଣ ପ୍ରତିକ୍ରିୟା ପ୍ରକାଶ କରିବାର ଅବସର ପାଇବେନି । ଏହା ଉଭୟ ଗାଡ଼ି ଓ ଆପଣଙ୍କର ବ୍ୟାପକ କ୍ଷତି ଘଟାଇବ । ଏମିତି ଜୀବନ ଚାଲିଯିବାର ବି ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ଏଭଳି ବିପତ୍ତି ଟାଳିବା ପାଇଁ ସମାଧାନର ପନ୍ଥା ବାହାର କରିଛନ୍ତି ସମ୍ବଲପୁରର ଓଡ଼ିଆ ଯନ୍ତ୍ରୀ ସମୀର ପଣ୍ଡା । ଏହି ଅଭିନବ ଟାୟାର ଦ୍ୱାରା ପଂଚର ଅଥବା ଅତ୍ୟଧିକ ତାପ ଓ ଚାପ ଜନିତ ବିସ୍ଫୋରଣ ହେବାର ସମସ୍ୟା ଉପୁଜିବ ନାହିଁ । ପୂର୍ବରୁ ପଂଚର ଅଥବା ବିସ୍ଫୋରଣର ପ୍ରଭାବ କମ କରିବା ପାଇଁ ପ୍ରଯୁକ୍ତି ଉଦ୍ଭାବିତ ହୋଇସାରିଛି ଓ ବିଳାସପୂର୍ଣ ଗାଡ଼ିରେ ବ୍ୟବହୃତ ମଧ୍ୟ ହେଉଛି । କିନ୍ତୁ ଏହାର ସମ୍ପୂର୍ଣ ସମାଧାନ ନଥିଲା, ଯାହା କି ଶ୍ରୀ ପଣ୍ଡା କରି ଦେଖାଇଛନ୍ତି ।

ପଢନ୍ତୁ - ଗଂଜାମ୍ ଟାଇଗର୍: ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ଏହି ୭୦ ବର୍ଷର ମହିଳା

image


ଟାଇଚିଜୁନୋ(TycheeJuno) ପ୍ରକଳ୍ପ ମାଧ୍ୟମରେ ସମୀର ପଣ୍ଡା ଏବଂ ତାଙ୍କର ସହଯୋଗୀ ଉଦିତ ବନ୍ଦିଆ, କେଏନ ପଣ୍ଡା ଓ ସ୍ମିତିପର୍ଣା ଶତପଥୀ ମିଳିତ ଭାବେ ବିସ୍ଫୋରଣ ରୋଧକ ତଥା ପଂଚର ସୁଧାରକ (Burst Prevention and Puncture Curative - BPPC) ପ୍ରଯୁକ୍ତି ଉଦ୍ଭାବନ କରିଛନ୍ତି । ଏହା କେବଳ ଟାୟାର ବିସ୍ଫୋରଣ ଏଡ଼ାଇ ପାରୁଛି ତାହା ନୁହେଁ, ବରଂ ଏହି ପ୍ରଯୁକ୍ତ ଦ୍ୱାରା ଚକା ଭାରସାମ୍ୟ ରକ୍ଷା କରିବା ସହ ଇନ୍ଧନ ଖର୍ଚ କମାଇବାରେ ସମର୍ଥ ହୋଇଛି । ଏହା ଛନା ତାଙ୍କ ଉଦ୍ଭାବନ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲ କମ କରିବା ସାଙ୍ଗକୁ କର୍କଟ ରୋଗର କାରକ ମଧ୍ୟ ଏଡ଼ାଇବ ।

୨୦୧୫ ନଭେମ୍ବର ୬ ତାରିଖରେ ନ୍ୟୁୟର୍କ ସହରରେ ଅନୁଷ୍ଠିତ ନାସା ଟେକ୍ ବ୍ରିଫ୍ ଅବସରରେ କ୍ରିଏଟ ଦି ଫ୍ୟୁଚର ଡିଜାଇନ କଣ୍ଟେଷ୍ଟ୍ ୨୦୧୫ରେ ସର୍ବୋତ୍ତମ ୧୦ଟି ପ୍ରକଳ୍ପ ମଧ୍ୟରେ ଟାଇଚିଜୁନୋ ପ୍ରକଳ୍ପ ସ୍ଥାନ ପାଇ ପୁରସ୍କୃତ ହୋଇଛି । ନାସା ଓ ସୋସାଇଟି ଅଫ୍ ଅଟୋମୋବାଇଲ ଇଂଜିନିୟର୍ସ ମିଳିତ ଆନୁକୂଲ୍ୟରେ ଏହି ନାସା ଟେକ୍ ବ୍ରିଫ୍ ଆୟୋଜିତ ହୋଇଥିଲା ।

ନିଜର ଉଦ୍ଭାବନ ବାବଦରେ ଟାଇଚିଜୁନୋ ଦଳପତି ସମୀର ପଣ୍ଡା କହିଛନ୍ତି,

ଗୋଟିଏ ଦଶନ୍ଧି ଧରି ଦୀର୍ଘ ୪୦ ହଜାର ଘଣ୍ଟାରୁ ଅଧିକ ସମୟର ଗବେଷଣା ପରେ ଏହି ଟାୟାର୍ ଉଦ୍ଭାବିତ ହୋଇଛି । ଏହି ପ୍ରଯୁକ୍ତି ମଧ୍ୟ ପରିବେଶ ଅନୁକୂଳ । ଏହା ଦ୍ୱାରା କାର୍ବନ୍ ଏମିସନ୍ କମିବ । ଏହି ପ୍ରଯୁକ୍ତି ବ୍ୟବହାର ପରେ ଟାୟାର ପରିବର୍ତନ ହାର କମୁଥିବାରୁ ଏକ କୋଟି ଗାଡ଼ିରେ ବର୍ଷକୁ ୨ ଲକ୍ଷ ଟନ୍ ଅଙ୍ଗାରକାମ୍ଲ କମ ହେବ । ୨୦ ଲକ୍ଷ ଗ୍ୟାଲନ୍ ଗ୍ୟାସୋଲିନ୍ ବ୍ୟବହାର କମିବ ଯାହା ଯୋଗୁଁ ୧୬.୩୪ ଲକ୍ଷ ଟନ୍ ଅଙ୍ଗାରକାମ୍ଲ କମ ହେବ । ସେହିପରି ୫୦୦ ଟନ୍ କର୍କଟ ରୋଗ ସୃଷ୍ଟିକାରୀ ଉପାଦାନକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ।
image


ଶ୍ରୀ ପଣ୍ଡା ସଂପ୍ରତି ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି । ଭାରତ ଭଳି ଏକ ଦୁର୍ଘଟଣା ପ୍ରବଣ ରାଷ୍ଟ୍ର ପାଇଁ ତାଙ୍କ ଉଦ୍ଭାବନ ଅଧିକ ମହତ୍ୱପୂର୍ଣ ହୋଇପଡ଼ିଛି । ୨୦୧୪ ମସିହାରେ ଦେଶରେ ଟାୟାର ବିସ୍ଫୋରଣ ଯୋଗୁଁ ୩୩୭୧ ଜଣ ମୃତ୍ୟୁବରଣ କରିଥିବା ବେଳେ ୯୦୮୧ ଜଣ ଆହତ ହୋଇଛନ୍ତି । ବିଶ୍ୱବ୍ୟାପୀ ଏହି ସଂଖ୍ୟା ୧୨.୫ ଲକ୍ଷ ।

ଏହି ଜୀବନ ରକ୍ଷାକାରୀ ଓ ପରିବେଶ ଅନୁକୂଳ ପ୍ରଯୁକ୍ତିର ସଫଳ ବ୍ୟବସାୟୀକରଣ ଲାଗି ଶ୍ରୀ ପଣ୍ଡା ଏବେ ସହଯୋଗୀ ଓ ପୁଞ୍ଜିନିବେଶକାରୀ ସନ୍ଧାନରେ ଅଛନ୍ତି ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ପ୍ଲାଷ୍ଟିକରୁ ପ୍ରସ୍ତୁତ ରାସ୍ତା ଓ ପ୍ଲାଷ୍ଟୋନର ଜନକ ପ୍ରଫେସର୍ ବାସୁଦେବନ୍

2। ପରିବେଶ ଚିନ୍ତା: ନଦୀର ଜନ୍ମଦିନ ପାଳିଲେ ଗ୍ରାମବାସୀ

3। ଓଡ଼ିଶାରେ ପ୍ରଥମ: କୃତ୍ରିମ ହାତରେ କାର୍ଯ୍ୟକ୍ଷମ କ୍ଷୀରୋଦ ମିଶ୍ର


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।