ସଂଗୀତ ମାଧ୍ୟମରେ ସଚେତନତା: କନ୍ୟା ଭ୍ରୁଣ ହତ୍ୟା ରୋକିବା ଲାଗି ଗୀତ ପରିବେଷଣ କରୁଛି କଟକର ରକ୍ ବ୍ୟାଣ୍ଡ୍ ଟିମ୍

ସଂଗୀତ ମାଧ୍ୟମରେ ସଚେତନତା: କନ୍ୟା ଭ୍ରୁଣ ହତ୍ୟା ରୋକିବା ଲାଗି ଗୀତ ପରିବେଷଣ କରୁଛି କଟକର ରକ୍ ବ୍ୟାଣ୍ଡ୍ ଟିମ୍

Monday February 29, 2016,

2 min Read

ରକ୍ ବ୍ୟାଣ୍ଡ୍ କଥା କହିଲେ ଯୁବକ ଯୁବତୀମାନଙ୍କ ମଧ୍ୟରେ ରୋମାଂଚ ଭରିଯାଏ | ଏହା ଯେ କେବଳ ମନୋରଂଜନର ମାଧ୍ୟମ ବୋଲି ଅନେକ ଲୋକ ଭାବନ୍ତି | କିନ୍ତୁ ଏହା ଦ୍ୱାରା ସମାଜକୁ ବିଭିନ୍ନ ପ୍ରସଙ୍ଗରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇପାରିବ | ବିଶେଷ କରି ସଂଗୀତ ଦ୍ୱାରା ସଚେତନତା କରାଇଲେ ଲୋକଙ୍କ ଉପରେ ଏହାର ଗଭୀର ପ୍ରଭାବ ମଧ୍ୟ ପଡେ | ରକ୍ ବ୍ୟାଣ୍ଡ୍ ଜରିଆରେ କନ୍ୟାଭ୍ରୁଣ ରୋକିବା ପାଇଁ କଟକର ଏକ ରକ୍ ବ୍ୟାଣ୍ଡ୍ ଗ୍ରୁପ ପ୍ରୟାସ ଜାରି ରଖିଛି | ଦେଶର ବିଭିନ୍ନ ସହରରେ ଏମାନେ ଶୋ କରିବା ପୂର୍ବରୁ କନ୍ୟାଭ୍ରୁଣ ହତ୍ୟାକୁ ରୋକିବା ସମ୍ପର୍କିତ ଗୀତରୁ ଆରମ୍ଭ ହୋଇଥାଏ କାର୍ଯ୍ୟକ୍ରମ | ଏହି ପ୍ରସଙ୍ଗ ଉଠାଇ ସେମାନେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି |

image


ଏଭଳି ଅଭିଯାନ ଆରମ୍ଭ କରିଥିବା କଟକର ଏହି ଟ୍ରୁପ୍ ହେଉଛି ବିଘ୍ନାଜ୍ ବ୍ୟାଣ୍ଡ୍ ଗ୍ରୁପ୍ | ୨୦୦୭ରୁ ଏହି ଗ୍ରୁପ୍ ରକ୍ ବ୍ୟାଣ୍ଡ ସଂଗୀତ ପରିବେଷଣ କରୁଛି | ତେବେ ୨୦୧୬ରୁ ଏମାନେ ଏକ ଅଭିନବ ପ୍ରୟାସ ଭାବେ କନ୍ୟା ଭ୍ରୁଣ ହତ୍ୟା ରୋକିବା ଲାଗି ଏକ ପଦକ୍ଷେପ ନେଇଥିଲେ | କନ୍ୟାଭ୍ରୁଣ ସୁରକ୍ଷା ଆହ୍ୱାନ ଦେଇ ଏହି ଟ୍ରୁପ୍ ଏକ ଗୀତ ପ୍ରସ୍ତୁତ କରିଛି | ଏହାକୁ ହିନ୍ଦୀ, ତେଲୁଗୁ, ଓଡିଆ ଓ ଇଂରାଜୀ ଭାଷାରେ କରାଯାଇଛି | ସେମାନେ ଯେ କୌଣସି ସ୍ଥାନରେ ସଂଗୀତ ପରିବେଷଣ କରିବା ପୂର୍ବରୁ ଏହି ଗୀତଟିକୁ ପ୍ରଥମେ ଗାଇଥାନ୍ତି | ଲୋକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି | ଦିଲ୍ଲୀ, କୋଲକାତା, ଚେନ୍ନାଇ, ବିଜୟୱାଡା, ବିଶାଖାପାଟଣା, ହାଇଦ୍ରାବାଦ, ଗ୍ୱାଲିଅର ଓ ପଣ୍ଡିଚେରୀ ଆଦି ସହରରେ ଏହି ବ୍ୟାଣ୍ଡ୍ ଗ୍ରୁପ୍ ଏହି ସଚେତନତାମୂଳକ ଗୀତକୁ ପରିବେଷଣ କରି ସାରିଛି |

ବ୍ୟାଣ୍ଡ୍ ର ମୁଖ୍ୟ ତଥା କଣ୍ଠଶିଳ୍ପୀ ଦୁର୍ଗା କହନ୍ତି,

ରକ୍ ବ୍ୟାଣ୍ଡ୍ ଏଭଳି ସଚେତନତାମୂଳକ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ କେଉଁଠି ଦେଖିନଥିଲି | ତେବେ ଆମ ମନରେ ମଧ୍ୟ ଡର ଥିଲା ଯେ ଯୁବ ସମାଜ ଏହାକୁ କିପରି ଗ୍ରହଣ କରିବ | କିନ୍ତୁ ବିଭିନ୍ନ ଯାଗାରେ ଆମକୁ ଭଲ ରେସପନ୍ସ ଆସିଛି | କେତେକ ସ୍ୱେଚ୍ଛାସେବୀ ସଂଗଠନ ପାଇଁ ମଧ୍ୟ ଆମେ ଏଭଳି ଗୀତ ପରିବେଷଣ କରୁଛୁ |

ଏଇ ଜାନୁୟାରୀ ପ୍ରଥମ ସପ୍ତାହରେ ହାଇଦ୍ରାବାଦରେ କନ୍ୟାଭ୍ରୁଣ ହତ୍ୟା ରୋକିବା ଉଦ୍ଦେଶ୍ୟରେ ତେଲୁଗୁ ଗୀତ ‘ଡୋଲି-ଅର୍ଗୁ’ ରିଲିଜ୍ କରାଯାଇଥିଲା | ହିନ୍ଦୀ ଭର୍ସନ୍ ମାର୍ଚ୍ଚ ମାସରେ ଦିଲ୍ଲୀରେ ରିଲିଜ୍ ହେବ | ଓଡିଆ ଭର୍ସନକୁ କଟକରେ ରିଲିଜ୍ କରାଯିବ |

image


ଏବେ ବି ଅନେକ ଲୋକଙ୍କ ଭାବନା ଯେ ଝିଅଟିଏ ପରିବାର ପାଇଁ ବୋଝ | ତେଣୁ ସେମାନେ କନ୍ୟା ଭ୍ରୁଣ ହତ୍ୟା କରିବାକୁ ପଛାନ୍ତି ନାହିଁ | ଏଭଳି ଅପରାଧକୁ ରୋକିବା ପାଇଁ ନିୟମ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଆସିନଥିବାରୁ ଏହା ଫଳପ୍ରଦ ହୋଇପାରୁନାହିଁ | ତେବେ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇପାରିଲେ, ଏହା ନିଶ୍ଚିତ ଭାବେ କମିବ | ବିଘ୍ନାଜ୍ ବ୍ୟାଣ୍ଡର ଏହି ପଦକ୍ଷେପ ନିଶ୍ଚୟ ସ୍ୱାଗତଯୋଗ୍ୟ | ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିର ବିଭିନ୍ନ ବସ୍ତିରେ ମଧ୍ୟ ଏହି ବ୍ୟାଣ୍ଡ କନ୍ୟା ଭ୍ରୁଣ ହତ୍ୟା ରୋକିବା ରକ୍ ବ୍ୟାଣ୍ଡ୍ ସୋ କରିବାକୁ ଯୋଜନା କରିଛି | ଏହା ବେଟି ବଚାଅ, ବେଟି ପଢାଓ ଆହ୍ୱାନକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଏ ।

ଏହିପରି ପ୍ରେରଣାଦାୟକ କାହାଣୀ ପଢିବା ପାଇଁ ଆମର Facebook ପେଜ like କରନ୍ତୁ। 

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ମାନବାଧିକାର ପ୍ରଚାରକ ମନୋଜ, ଶାନ୍ତି ଓ ସଦଭାବ ପାଇଁ କାମ

ଅସହିଷ୍ଣୁତାର ଆଉ ଏକ ପର୍ବ - JNU

ମାର୍ଚ୍ଚ ୬ରେ Women's Car Rally