ଓଡ଼ିଶାରେ ପ୍ରଥମ: କୃତ୍ରିମ ହାତରେ କାର୍ଯ୍ୟକ୍ଷମ କ୍ଷୀରୋଦ ମିଶ୍ର

ଓଡ଼ିଶାରେ ପ୍ରଥମ: କୃତ୍ରିମ ହାତରେ କାର୍ଯ୍ୟକ୍ଷମ କ୍ଷୀରୋଦ ମିଶ୍ର

Thursday February 04, 2016,

3 min Read

ହାତ କିମ୍ବା ଗୋଡ଼ କଟିଗଲେ, ଲୋକେ କୃତ୍ରିମ ଅଙ୍ଗ ଲଗାଇବା କିଛି ନୂଆ କଥା ନୁହେଁ । ଅତୀତରେ ଓଡ଼ିଶାରେ ଏଭଳି ସହସ୍ରାଧିକ ଉଦାହରଣ ଦେଖିବାକୁ ମିଳିଛି । ତେବେ ସେସବୁ ଅଙ୍ଗ କେବଳ କଟା ଅଙ୍ଗର ଶୂନ୍ୟସ୍ଥାନ ପୂରଣ ପାଇଁ ଉଦ୍ଦିଷ୍ଟ । ସତସତିକା ମଣିଷ ଅଙ୍ଗ ଭଳି ଏସବୁ କୃତ୍ରିମ ଅଙ୍ଗରେ କୌଣସି କାର୍ଯ୍ୟ କରିବା ସମ୍ଭବ ହେଉ ନଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ପ୍ରଥମ ଥର ପାଇଁ କୃତ୍ରିମ କାର୍ଯ୍ୟକ୍ଷମ ହାତ ପାଇଛନ୍ତି ବଲାଙ୍ଗୀରର କ୍ଷୀରୋଦ ମିଶ୍ର । ସମ୍ପୂର୍ଣ ଦୁଇ ହାତ ହରାଇଥିବା କ୍ଷୀରୋଦ ଏବେ ନୂଆ ଇଲେକଟ୍ରୋନିକ୍ ହାତ ସାହାଯ୍ୟରେ ଲେଖାପଢ଼ା କରିପାରୁଥିବା ବେଳେ ଆଗକୁ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସଫଳ ହେବେ ବୋଲି ଚିକିତ୍ସକ କହିଛନ୍ତି ।

image


ବଲାଙ୍ଗୀର ଜିଲ୍ଲା ବୁବେଲ ପଞ୍ଚାୟତର ନିଜ ଗାଁ ରାଘବପାଲିରେ ପୂଜକ ଭାବେ ବୃତ୍ତି ନିର୍ବାହ କରୁଥିଲେ କ୍ଷୀରୋଦ । ୨୦୧୫ ଜୁଲାଇ ୭ ତାରିଖରେ ଗ୍ରାମର କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଟି ଯାକ ହାତ ସମ୍ପୂର୍ଣ ଭାବେ ହରାଇଥିଲେ କ୍ଷୀରୋଦ । କଟା ହାତକୁ ଧରି ପରିବାର ଲୋକ କ୍ଷୀରୋଦଙ୍କ ସହ ପ୍ରଥମେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ମେଡିକାଲ ଯାଇଥିଲେ । ହାତ ଯୋଡ଼ିବାରେ ଡାକ୍ତର ବିଫଳ ହେବାରୁ କ୍ଷୀରୋଦଙ୍କୁ କଟକ ବଡ଼ ମେଡିକାଲକୁ ଅଣା ଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀଙ୍କ ନେତୃତ୍ୱରେ ଏକାଧିକ ବିଶେଷଜ୍ଞଙ୍କର ଏକ ଦଳ କ୍ଷୀରୋଦଙ୍କ ହାତ ଯୋଡ଼ିବାକୁ ଚେଷ୍ଟା କରି ଶେଷରେ ବିଫଳ ହୋଇଥିଲେ । କଟା ହାତ ଦୁଇଟି ୧୨ ଘଣ୍ଟାରୁ ଅଧିକ ସମୟ ବାହାରେ ରହିଯାଇଥିବାରୁ ଆଉ ଯୋଡ଼ିବା ସମ୍ଭବ ହୋଇ ନଥିଲା ।

ପଢନ୍ତୁ - ଓଡ଼ିଶା: ଯେଉଁଠି ମନ୍ଦିରର ପୂଜକ ଦଳିତ ମହିଳା

ତେବେ କ୍ଷୀରୋଦଙ୍କ ପାଇଁ ସହଯୋଗର ହାତ ବଢ଼ାଇଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ୍ ପାଣ୍ଠିରୁ କୃତ୍ରିମ ହାତ ନିମନ୍ତେ ୬ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଆମେରିକା ବୋଷ୍ଟନ ସ୍ଥିତ ମେଷ୍ଟିଚ୍ୟୁଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନଲୋଜିର ଜ୍ଞାନକୌଶଳ ସହଯୋଗରେ ମୁମ୍ବାଇର ପ୍ରସିଦ୍ଧ ଅର୍ଥୋଟିଷ୍ଟ୍ ମୁକେଶ ଦୋଷୀ କ୍ଷୀରୋଦଙ୍କ ପାଇଁ ଇଲେକଟ୍ରୋନିକ୍ ହାତ ନିର୍ମାଣ ଆରମ୍ଭ କରିଥିଲେ ।

image


ଗତକାଲି (୩ ଫେବ୍ରୁଆରି ୨୦୧୬) କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୀରୋଦଙ୍କୁ ଏହି କୃତ୍ରିମ ହାତ ପ୍ରଦାନ କରିଛନ୍ତି । କୃତ୍ରିମ ହାତରେ ଧଳା ବୋର୍ଡ ଉପରେ ମାର୍କରରେ Thank you Sri Naveen Patnaik sir ବୋଲି ମଧ୍ୟ ଲେଖିଥିଲେ କ୍ଷୀରୋଦ ।

ଏହି ହାତ ସାହାଯ୍ୟରେ ସେ ନୂଆ ଜୀବନ ପାଇଛନ୍ତି ବୋଲି ଖୁସିରେ ଆତ୍ମହରା କ୍ଷୀରୋଦ ଗଣମାଧ୍ୟମକୁ କହିଛନ୍ତି । ସେ ପୁଣି ନିଜର କୂଳଧର୍ମ ପୂଜା କରି ପାରିବେ ବୋଲି ଆଶା ରଖିଛନ୍ତି ।

କେମିତି କାର୍ଯ୍ୟ କରିବ କୃତ୍ରିମ ହାତ?

କୃତ୍ରିମ ହାତର କାନ୍ଧ ପାଖରେ ତିନୋଟି ଲେଖାଏଁ ଇଲେକଟ୍ରୋନିକ୍ସ ଚିପ୍ସ ରହିଛି । କ୍ଷୀରୋଦଙ୍କ କାନ୍ଧ ପାଖରେ ଥିବା ମାଂସପେଶୀ ସହ ସଂଯୋଗ ହୋଇ ଏହି ଚିପ୍ସ ମସ୍ତିଷ୍କ ସହ ସମ୍ପର୍କିତ ହୋଇପାରିବ । ଫଳରେ କ୍ଷୀରୋଦ ଯାହା ଚାହିବେ ହାତ ସାହାଯ୍ୟରେ ତାହା କରିପାରିବେ । ଗୋଟିଏ ମୋବାଇଲ ବ୍ୟାଟେରିରେ ପରିଚାଳିତ ହାତକୁ ପ୍ରତିବର୍ଷ କଟକ ଆଣି ରକ୍ଷଣାବେକ୍ଷଣ କରାଇବାକୁ ପଡ଼ିବ । ବ୍ୟାଟେରୀ ଥରେ ଚାର୍ଜ ହେଲେ କ୍ଷୀରୋଦ ୮ ଘଣ୍ଟା ଯାଏଁ ହାତ ବ୍ୟବହାର କରିପାରିବେ ବୋଲି ଡାକ୍ତର ମୁକେଶ ଦୋଷୀ ସୂଚନା ଦେଇଛନ୍ତି । ହାତ ଦ୍ୱାରା କରାଯାଉଥଇବା କାର୍ଯ୍ୟ ସବୁର ୬୦ ପ୍ରତିଶତ କାମ କ୍ଷୀରୋଦଙ୍କ କୃତ୍ରିମ ହାତ କରିବାରେ ସଫଳ ହେବ । ତେବେ କଠିନ କାର୍ଯ୍ୟ ନକରିବାକୁ ଡାକ୍ତର ଦୋଷୀ ତାଙ୍କୁ ପରାମର୍ଶ ଦେଇଛନ୍ତି ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ

1। ସାମ୍ ପିଟ୍ରୋଡାଙ୍କ ଡିଜିଟାଲ୍ ଓଡିଶା ପ୍ଲାନ୍ : ସବୁ ଗାଁକୁ ଯିବ ଅପଟିକାଲ୍ ଫାଇବର କେବୁଲ୍

2। ଦେଶର ଶ୍ରେଷ୍ଠ ସ୍ମାର୍ଟ ସହର ଭୁବନେଶ୍ୱର

3। ସାଧାରଣ ମଣିଷର କବି ପଦ୍ମଶ୍ରୀ ହଳଧର ନାଗ

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।