ଯୁବକମାନଙ୍କ ଉଦ୍ୟମରେ ହେଉଛି ‘ଦୟା ମହୋତ୍ସବ’: ଲୋକକଳାକୁ ପ୍ରୋତ୍ସାହନ, ନବ ପ୍ରତିଭାଙ୍କୁ ସୁଯୋଗ

0

ସରକାରୀ ସାହାଯ୍ୟକୁ ଅପେକ୍ଷା କରିନାହାନ୍ତି

ଛୋଟ ପିଲାଙ୍କ ଲୁକ୍କାୟିତ କଳାର ଉନ୍ମୋଚନ

ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶାନ୍ତିର ବାର୍ତ୍ତା

ଏମିତି ଏକ ଉତ୍ସବ ଯାହା କେବଳ କିଛି ସ୍ଥାନୀୟ ଲୋକଙ୍କୁ ନେଇ ହୁଏ | ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ପ୍ରାୟ ମିଳେନାହିଁ | ନିଜ ଉଦ୍ୟମରେ କିଛି ଯୁବକ ଓ ବରିଷ୍ଠ ନାଗରିକ ମିଶି କରନ୍ତି ଏହି ସାଂସ୍କୃତିକ ମହୋତ୍ସବ | ଯେଉଁଥିରେ ସ୍ଥାନୀୟ ଲୋକ କଳାକାରମାନଙ୍କୁ ସୁଯୋଗ ମିଳେ | ଯୁବ ପ୍ରତିଭାମାନଙ୍କୁ କଳା ପ୍ରଦର୍ଶନ କରିବାର ମଂଚ ମିଳିଥାଏ | କିନ୍ତୁ କେଉଁ ବଡ ସାଂସ୍କୃତିକ ମହୋତ୍ସବର ସାଜସଜା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଏହି ମହୋତ୍ସବ କିଛି କମ୍ ନୁହେଁ | ପ୍ରାୟ ଦଶ ବର୍ଷ ହେଲା ଲୋକଙ୍କ ଦ୍ୱାରା ହେଉଥିବା ଏହି କାର୍ଯ୍ୟକ୍ରମକୁ ସେମାନେ ଶାନ୍ତି ଓ ସଂହତିର ଲୋକପର୍ବ ବୋଲି କହିଥାନ୍ତି | ଆମେ ଏଠାରେ ‘ଦୟା ମହୋତ୍ସବ’ କଥା କହୁଛୁ | ପୁରୀ ଜିଲ୍ଲା ପିପିଲିରେ ପ୍ରତିବର୍ଷ ଫେବୃୟାରୀ 21ରୁ 23 ତାରିଖରେ ହେଉଥିବା ଏହି ମହୋତ୍ସବ ଏବେ ରାଜ୍ୟର କଳାକାର ଓ ସଂସ୍କୃତି ବିଭାଗର ଧ୍ୟାନ ଆକର୍ଷଣ କରିଛି |

ପିପିଲିରେ ଥିବା ଜନକଲ୍ୟାଣକାରୀ ଟ୍ରଷ୍ଟ ‘ଇଣ୍ଡିଆ ମିଡିଆ ସେଂଟର’(ଆଇଏମସି) ପକ୍ଷରୁ ୨୦୦୬ରେ ଦୟା ମହୋତ୍ସବ ଆରମ୍ଭ ହୋଇଥିଲା | ସେତେବେଳେ ଏଠାରେ କୌଣସି ସାଂସ୍କୃତିକ ମହୋତ୍ସବ ନଥିଲା | ତେଣୁ ଆଇଏମସି ପକ୍ଷରୁ ସ୍ଥାନୀୟ ଲୋକଙ୍କର ଏକ ବୈଠକ ଡକାଯାଇଥିଲା | ପଦାସାହି, ସିରିଆପୁର, ଡିହସାହି ଓ ପିପିଲି ବଜାରର ଅନେକ ଲୋକ ଏଥିରେ ଯୋଗ ଦେଇ ଏଭଳି ଏକ ଉତ୍ସବର ଆବଶ୍ୟକତା ରହିଥିବା ଅନୁଭବ କଲେ | ସେହି ଦିନ ଠାରୁ ପଦାସାହି ଗାଁ ସ୍ଥିତ ଇନ୍ଦିରା ମଇଦାନ ଠାରେ ଏହି ସାଂସ୍କୃତିକ ମହୋତ୍ସବ ହୋଇଆସୁଛି | ବିଭିନ୍ନ ସ୍ଥାନର ନାମକୁ ନେଇ ଅନେକ ଜାଗାରେ ମହୋତ୍ସବ ହେଉଛି | କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ନାମ ନ ଦେଇ ଏହି ଅଂଚଳରେ ବହି ଯାଉଥିବା ଦୟା ନଦୀ ଅନୁସାରେ ଏହି ମହୋତ୍ସବର ନାମ କରଣ କରାଯାଇଥିଲା | ପିପିଲି ଅଂଚଳରେ ଅଧିକାଂଶ ସମୟ ରାଜନୈତିକ ହିଂସାକାଣ୍ଡ ଘଟୁଥିବାରୁ ଏଠାରେ କଳାସଂସ୍କୃତି କଥା କହିଲେ ଲୋକେ ହସରେ ଉଡାଇ ଦେଉଥିଲେ | କିନ୍ତୁ ଏବେ କଳା ସଂସ୍କୃତିର କଥା କହିବାକୁ ଦୟା ମହୋତ୍ସବ ଉଭା ହୋଇଛି |

ଦୟା ମହୋତ୍ସବ କମିଟିର ମୁଖ୍ୟ ନିଶିକାନ୍ତ ମିଶ୍ର କହନ୍ତି,

କଳା ଓ ସାଂସ୍କୃତିକ ମହୋତ୍ସବ କରିବା ଆମ ପାଇଁ ଏକ ଚ୍ୟାଲେଂଜ ଥିଲା | କାରଣ ଏ ଦିଗରେ ଆମର କୌଣସି ଅଭିଜ୍ଞତା ନଥିଲା | ତେବେ ବିଭିନ୍ନ କଳାକାର ଓ କଳାପ୍ରେମୀଙ୍କ ସହ ଆଲୋଚନା ପରେ ଆମେ ଏହି ମହୋତ୍ସବ ଆରମ୍ଭ କରିଥିଲୁ | ନିକଟରେ ଆମେ ସଫଳତାର ସହ ଏହାର ଦଶ ବର୍ଷ ପୂର୍ତ୍ତି କରିଛୁ |

ଯୁବକମାନେ ହିଁ ଇଭେଣ୍ଟ ମ୍ୟନେଜର

ଏହି ମହୋତ୍ସବ କରିବାକୁ କୌଣସି ଇଭେଣ୍ଟ ମ୍ୟାନେଜେମେଣ୍ଟ ସଂସ୍ଥାର ଆବଶ୍ୟକତା ପଡେ ନାହିଁ | ମା କାଳିକାଦେବୀ ଯୁବକ ସଂଘ, ମା ଯାଗେଶ୍ୱରୀ ଯୁବକସଂଘର ୪୦ ଜଣଙ୍କୁ ନେଇ ଏକ ସ୍ୱେଚ୍ଛାସେବୀ ଟିମ୍ ଗଠନ କରାଯାଇଛି | ସେମାନଙ୍କ ମଧ୍ୟରେ ସବୁ କିଛି ଦାୟିତ୍ୱ ବଣ୍ଟନ କରାଯାଇଛି | କେଉଁ ଟିମ୍ ମଂଚ ଦାୟିତ୍ୱରେ ରହିବ, କିଏ କଳାକାର ଓ ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରିବ, କିଏ ମିଡିଆ ଦାୟିତ୍ୱ ବୁଝିବ, କେଉଁମାନେ ଶାନ୍ତି ଶୃଖଂଳା ରକ୍ଷା ପାଇଁ ସାହାଯ୍ୟ କରିବେ, କେଉଁମାନେ ଦର୍ଶକମାନଙ୍କ ସମସ୍ୟା ବୁଝିବେ, ସବୁ ଦାୟିତ୍ୱ ବଂଟାଯାଇଥାଏ ବୋଲି କୁହନ୍ତି ମହୋତ୍ସବ କମିଟିର ମୁଖ୍ୟ ଶ୍ରୀଯୁକ୍ତ ମିଶ୍ର | ଏମାନେ ଖୁବ ଭଲ ଭାବେ ଦାୟିତ୍ୱ ନିର୍ବାହ କରୁଥିବାରୁ ସଫଳତାର ସହ ଏହି ମହୋତ୍ସବ ହୁଏ ବୋଲି ସେ କହନ୍ତି |

ଗାଁ ମୁଖିଆଶ୍ରେଣୀୟ ବ୍ୟକ୍ତି କେଦାର ବେହେରା କହନ୍ତି,

ଆରମ୍ଭରୁ ଆମେ ମହୋତ୍ସବକୁ ନିଜର କାମ ବୋଲି ଭାବି କରୁ | ଆମ ଘରର ସମସ୍ତେ ଏଥିପାଇଁ ସମୟ ଦିଅନ୍ତି | ଯିଏ ଯେଉଁଠାରେ ଥିଲେ ବି ଦୟା ମହୋତ୍ସବ ତିନି ଦିନ ଯାକ ଏଠାକୁ ଆସି କୌଣସି ନା କୌଣସି କାମରେ ସାମିଲ ହୁଅନ୍ତି | ସିରିଆପୁର, ପଦାସାହି, ଡିହସାହିର ପିଲାମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଠିକ୍ ଠାକ୍ ହେଉଛି |

ଲୋକ କଳାକାରଙ୍କୁ ସୁଯୋଗ

ଲୋକକଳା ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ଏହି ମହୋତ୍ସବ ଫଳରେ ଅନେକ କଳାକାରଙ୍କୁ ସୁଯୋଗ ଓ ପ୍ରେରଣା ମିଳୁଛି | ତିନି ଦିନିଆ ମହୋତ୍ସବର ଉଦଘାଟନ ପୂର୍ବରୁ ପିପିଲି ବଜାରରେ ଲୋକ କଳାର ଏକ ପ୍ରଦର୍ଶନ ଶୋଭାଯାତ୍ରା ହୋଇଥାଏ | ଯାହାକୁ ଆୟୋଜନମାନେ ଦୟା ଜ୍ୟୋତି ଶୋଭାଯାତ୍ରା କହନ୍ତି | ସଂକଟ ମୋଚନ ହନୁମାନ ମନ୍ଦିର ଠାରୁ ଦୟା ମହୋତ୍ସବ ମଂଚ ପର୍ଯ୍ୟନ୍ତ ଏକ ମଶାଲକୁ ଶୋଭାଯାତ୍ରାରେ ଅଣାଯାଏ |

ଆଉ ଏହି ସମୟରେ ଅନେକ ଲୋକକଳା ଦଳଙ୍କୁ ଡକାଯାଇଥାଏ | କିଏ ମୃଦଙ୍ଗ ବଜାଉଥାଏ ତ ଆଉ କିଏ ଝାଂଜ | ପୁଣି ଘଣ୍ଟ ବାଦନରେ ସାରା ଅଂଚଳ କମ୍ପମାନ ହୋଇ ଉଠେ | ଶଂଖୁଆ କଳାକାଳମାନେ ଶଂଖ ବଜାଇଥାନ୍ତି | ଘୋଡାନାଚ କଳାକାରମାନେ ପାରମ୍ପରିକ ଶୈଳୀରେ କଳ ଘୋଡା ନଚାଇଥାନ୍ତି | ପୁଣି କଣ୍ଢେଇ ନାଚ ବି ଦେଖିବାକୁ ମିଳେ ଏହି ଶୋଭାଯାତ୍ରାରେ | ବାଡିଖେଳ ଓ ପଟାଖେଳକୁ ଦର୍ଶକ ଖୁବ୍ ଉପଭୋଗ କରନ୍ତି | ଏଥିରେ ଭାଗନେଉଥିବା କଳାକାରମାନଙ୍କୁ ପାରିଶ୍ରମିକ ମିଳିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ |


 ପ୍ରତିବର୍ଷ ଦୟା ଜ୍ୟୋତି ଶୋଭାଯାତ୍ରାରେ ଭାଗ ନେଉଥିବା କରୁଥିବା ସଂକିର୍ତ୍ତନ ଗୁରୁ ପ୍ରଫୁଲ୍ଲ ପ୍ରଧାନ କହନ୍ତି,

ଆମେ ବିଭିନ୍ନ ଧାର୍ମକ କାର୍ଯ୍ୟକ୍ରମରେ ଏହାକୁ ବଜାଇଥାଉ | କିନ୍ତୁ ଏହା ଯେ ଏକ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମେ ଭାଗ ନେଇପାରିବୁ, ତାହା ଦୟା ମହୋତ୍ସବରୁ ହିଁ ଜାଣିଲୁ | ଆମର କଳାକାରମାନେ ପ୍ରମାଣପତ୍ର ପାଇବା ପରେ ବେଶ୍ ଉତ୍ସାହିତ ହୋଇଛନ୍ତି | ଏହା ସେମାନଙ୍କ ପାଇଁ ନୂଆ |

ପ୍ରତିଭାଙ୍କୁ ପ୍ରୋତ୍ସାହନ

ମହୋତ୍ସବର ଶେଷ ଦିନରେ ‘ଭଏସ୍ ଅଫ୍ ଦୟା ମହୋତ୍ସବ’ କାର୍ଯ୍ୟକ୍ରମରେ ଯୁବ କଣ୍ଠଶିଳ୍ପୀମାନଙ୍କୁ ମଂଚରେ ଗୀତ ଗାଇବାର ସୁଯୋଗ ଦିଆଯାଏ | ସେହିଦିନ ଜଣେ ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ମଧ୍ୟ ଡକାଯାଇଥାଏ | ଯୁବ କଣ୍ଠଶିଳ୍ପୀମାନେ ତାଙ୍କ ସମ୍ମୁଖରେ ଓ ଅନେକ ସମୟରେ ତାଙ୍କ ସହ ଗୀତ ଗାଇଥାନ୍ତି | ଏହି ମଂଚରେ ତାନସେନ୍ ସିଂହ, ଇରା ମହାନ୍ତି, ସୌରଭ ନାୟକ, ଅସୀମା ପଣ୍ଡାଙ୍କ ଭଳି ନାମୀଦାମୀ କଣ୍ଠଶିଳ୍ପୀଙ୍କ ସହ ଯୁବ ପ୍ରତିଭାମାନେ ଗୀତ ଗାଇବାର ସୁଯୋଗ ପାଇଛନ୍ତି | ଏହି ପ୍ରତିଭାମାନେ ଏଠାରୁ ଯାଇ ଅନେକ କାର୍ଯ୍ୟକ୍ରମରେ ସୁଯୋଗ ପାଇଛନ୍ତି | ଗତ ବର୍ଷ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସୁଶ୍ରୀ ସଂଗୀତା ସରିତା କୁହନ୍ତି,

ଏହି ମହୋତ୍ସବରେ ଗୀତ ଗାଇ ମୋର ଅନେକ ଆତ୍ମବିଶ୍ୱାସ ବଢିଛି | ୨୦୧୪ରେ ମୁଁ ଏହି ମଂଚରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂହଙ୍କ ସହ ମିଶିକରି ଗୀତ ଗାଇଥିଲି | ଯାହା ମୋ ପାଇଁ ଏକ ବଡ ସଫଳତା ଥିଲା | ମୁ ସେହିଦିନ ଠାରୁ ପ୍ରତିବର୍ଷ ଏହି ମହୋତ୍ସବରେ ସାମିଲ ହେବା ପାଇଁ ଆପେ ଆପେ ଆସେ |

‘ଅମୃତ ବର୍ଷା’ରେ ଗାଁ ପିଲାଙ୍କ ନାଚ

ମହୋତ୍ସବ କମିଟି ପକ୍ଷରୁ ପିପିଲିର ଐତିହ୍ୟ ଓ ଅତୀତ ଗୌରବକୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ସିଡି | ଯାହାର ନାମ ରଖା ଯାଇଛି ‘ଅମୃତ ବର୍ଷା’ | ଏହାକୁ ମହୋତ୍ସବର ତିନି ଦିନ ଯାକ ପ୍ରର୍ଦର୍ଶନ କରାଯାଇଥାଏ | ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହାକୁ କେବଳ ପିଲାମାନେ ଅତି ନିଖୁଣ ଭାବରେ କରିଥାନ୍ତି | ପିପିଲି ନିକଟ ବଧି ଗାଁରେ ଥିବା ସାଂସ୍କୃତିକ ଅନୁଷ୍ଠାନ ମା ବୀଣାକେଶ୍ୱରୀ ନୃତ୍ୟ ମଂଜରୀ ପକ୍ଷରୁ ଏହା କରାଯାଇଥାଏ | ଗାଁ ପିଲାଙ୍କୁ ଏଥିପାଇଁ ୧୫ ଦିନ ଆଗରୁ ଶିକ୍ଷା ଦିଆଯାଇଥାଏ |

ପିଲାମାନଙ୍କୁ ନୃତ୍ୟ ଶିଖାଉଥିବା ଜଗନ୍ନାଥ ମଲ୍ଲିକ କୁହନ୍ତି,

ଏହି ପିଲାମାନଙ୍କର ଗୀତ ନାଚ ପେଶା ନୁହେଁ | ଏମାନେ ସବୁ ସ୍କୁଲରେ ପଢୁଛନ୍ତି | ସେମାନଙ୍କ ମଧ୍ୟରୁ ଆଗ୍ରହୀ ଥିବା କେତେକଙ୍କୁ ଆମେ ଏହି ନୃତ୍ୟ ଶିଖାଉ | ଦୟା ମହୋତ୍ସବ ଭଳି ଏକ ବୃହତ୍ତ ମଂଚରେ ସେମାନେ ନୃତ୍ୟ ପରିବେଷଣ କରିବାକୁ ବେଶ୍ ଭଲ ପାଆନ୍ତି | ମୋତେ ବି ଖୁବ୍ ଆନନ୍ଦମିଳେ ଯେତେବେଳେ ଅତିଥିମାନେ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ଏମାନେ କେଉଁଠାରୁ ଏଭଳି ନୃତ୍ୟ ଶିଖିଛନ୍ତି !

ଦୟା ମହୋତ୍ସବରେ ବିଭିନ୍ନ ସ୍କୁଲର ପିଲାମାନଙ୍କୁ ମଧ୍ୟ ନୃତ୍ୟ ପ୍ରଦର୍ଶନର ସୁଯୋଗ ମିଳିଥାଏ |

ବିଭିନ୍ନ ଅଂଚଳର କଳାକାରଙ୍କୁ ନମନ୍ତ୍ରଣ

ସ୍ଥାନୀୟ କଳାକାରମାନଙ୍କ ସହ ବିଭିନ୍ନ ଅଂଚଳର କଳାକାରମାନଙ୍କୁ ମଧ୍ୟ ଏଠାକୁ ନିମନ୍ତ୍ରଣ କରାଯାଇଥାଏ | ବିଭିନ୍ନ ମହୋତ୍ସବରେ ଭୁବନେଶ୍ୱରରୁ ଓଡିଶୀ ଟିମ୍, ପୁରୀରୁ ମହାରୀ ନୃତ୍ୟ, କଳାହାଣ୍ଡିର ଘୁମୁରା, ଗଂଜାମର ଯୋଡିଶଂଖ ଓ ରଣପା, ପୁରୁଲିଆ ଛଉ, ଖୋର୍ଦ୍ଧାର ପାଇକଆଖଡା ଆଦି ବିଭିନ୍ନ ନୃତ୍ୟ ଦଳ ଏହି ମହୋତ୍ସବରେ ଭାଗ ନିଅନ୍ତି | ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏଭଳି କିଛି ଟିମ୍ ଯୋଗାଇ ଦିଆଯାଉଛି | ବାଲୁକା ଶିଳ୍ପୀ ଶ୍ରୀଧର ଦାଶ ପ୍ରତିବର୍ଷ ଏଠାରେ ନିଜର ବାଲୁକା କାରୁକାର୍ଯ୍ୟ କରନ୍ତି | କୃଷି, ସମାଜସେବା, ସାମ୍ବାଦିକତା, କଳାସଂସ୍କୃତି, ଶିକ୍ଷକତା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥାଏ ବୋଲି କୁହନ୍ତି ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ |

ମହୋତ୍ସବ ପଡିଆରେ ବେପାର

ମହୋତ୍ସବ ପଡିଆରେ ତିନି ଦିନ ଧରି ପ୍ରାୟ ୩୦ରୁ ଅଧିକ ଷ୍ଟଲ ପଡେ | ପିଲାଙ୍କ ମନୋରଂଜନ ପାଇଁ ବିଭିନ୍ନ ପ୍ରକାର ଦୋଳି ପଡେ | ଶାଢୀ, ଚାନ୍ଦୁଆ, ମୂର୍ତୀ ଆଦି ଷ୍ଟଲରେ ଭଲ ବେପାର ହୁଏ | ଏଠାରେ ଆପଣ ପାଇପାରିବେ ପିପିଲିର କତା ସାମଗ୍ରୀ ଓ ଅନ୍ୟନ୍ୟ କୁଟୀର ଶିଳ୍ପ ସାମଗ୍ରୀ | ଖାଇବା ପାଇଁ ତ ଭିନ୍ନ ଭିନ୍ନ ଷ୍ଟଲ ଏଠାକୁ ଆସେ | ଯାହାକୁ ଦର୍ଶକମାନେ ମନଭରି ଉପଭୋଗ କରନ୍ତି | ଆଉ ବେପାରୀମାନଙ୍କର ଭଲ ଦିପଇସା ରୋଜଗାର ହୁଏ |

ଏହି ମହୋତ୍ସବକୁ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପୂର୍ଣ ସହଯୋଗ ଯୋଗାଇଦେଲେ ଏହା ନିଶ୍ଚିତ ଭାବେ ଏକ ଜାତୀୟ ମହୋତ୍ସବରେ ରୂପାନ୍ତରିତ ହୋଇପାରିବ ବୋଲି ଆଶା |

ଏହିପରି ପ୍ରେରଣାଦାୟକ କାହାଣୀ ପଢିବା ପାଇଁ ଆମର Facebook ପେଜ like କରନ୍ତୁ। 

ଆଉ କିଛି ସମ୍ବନ୍ଧିତ କାହାଣୀ - 

ଭୁବନେଶ୍ୱରରେ ୧୮ତମ ଭାରତ ରଙ୍ଗ ମହୋତ୍ସବ

ଏକାମ୍ର ହାଟରେ ଆୟୋଜିତ ହେଲା ରାସ୍ତାକଡ଼ ପିଲାଙ୍କ ପାଇଁ “ଆଶାଏଁ’

୮ମ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏକମାତ୍ର ଓଡ଼ିଆ ସିନେମା ‘ତୁଳସୀ ଅପା’


Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories

Stories by Akhand